କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଏହି ଘଟଣା ପରେ ସଂପୃକ୍ତ ଶିକ୍ଷକଙ୍କୁ ରାତାରାତି ଅନ୍ୟତ୍ର ବଦଳି କରାଯାଇଛି । ଆଉ ଏହାପରେ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ଦାବୀରେ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ମହାକାଳପଡ଼ା ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଅସଦାଚରଣ କରିଥିଲେ । ଏଭଳି ଅଭିଯୋଗ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଏପରିକି ଛାତ୍ରୀଙ୍କ ବାପା ମଧ୍ୟ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୯୧୯୫/୨୦୨୨ରେ ସଂପୃକ୍ତ ଶିକ୍ଷକ ବିଶ୍ବାମ୍ବର ପରିଡାଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦେଇଛନ୍ତି । ଏହାର ପ୍ରତିବାଦରେ ତାତିଛନ୍ତି ଅଭିଭାବକ । ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ । ଆଜି ସକାଳୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ କିମ୍ବା ଏରିପୋର୍ଟ ଲେଖା ହେବା ଯାଏଁ କୌଣସି ଉଚ୍ଚ ପଦାଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନଥିବା ଦେଖାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା