କେନ୍ଦ୍ରାପଡା: ସେ ହେଉଛନ୍ତି ଶକ୍ତି ସ୍ୱରୂପିଣୀ, ଜଗତଜନନୀ । ମା'ଙ୍କ ଆଗମନେ ଝଲସି ଉଠେ ମର୍ତ୍ତ୍ୟ ମଣ୍ଡଳ । ମା'ଙ୍କ ଦର୍ଶନ ପାଇଁ ମଣ୍ଡପକୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ଏମିତି ବରଷକୁ ୯ ଦିନ ପାଇଁ ଧରାଧାମରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତିକୁ ପୂଜା କରିଥାଏ ଏହି ମାନବ ସମାଜ । ଉତ୍କଳର ସଂସ୍କୃତି, ପରମ୍ପରା ମଧ୍ୟ ବେଶ୍ ନିଆରା । ଆଧ୍ୟାତ୍ମିକ ଚେତନାର ଗନ୍ତାଘର ଓଡିଶା ମାଟି ।
୩୩ କୋଟି ଦେବାଦେବୀଙ୍କ ପୂଜା କରାଯାଏ ଉତ୍କଳୀୟ ପରମ୍ପରାରେ । ସେଥିରେ ପୁଣି ଥାଏ ବିଭିନ୍ନତା । ତେବେ ଏହି ଉତ୍କଳ ମାଟିରେ ଭଗବାନଙ୍କ ଆବିର୍ଭାବ ଯେପରି ତାଙ୍କ ପରମ୍ପରା ଆଉ ରୀତିନୀତି ମଧ୍ୟ ଠିକ୍ ସେପରି । ପାର୍ବଣରେ ପୂଜା ପାଉଛନ୍ତି ମା' ଦଶଭୂଜା । ଏହି ଅବସରରେ ମା'ଙ୍କ ନୀତିକାନ୍ତିରେ ମଧ୍ୟ ରହିଛି ଭିନ୍ନ ଭିନ୍ନ ପରମ୍ପରା ଆଉ ଲୋକକଥା । ଏହି ନିଆରା ପରମ୍ପରା ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଏଣ୍ଡର ଗ୍ରାମ ପୂଜା ମଣ୍ଡପର ରୀତିନୀତି ଅନ୍ୟତମ ।
ସମସ୍ତ ବଙ୍ଗୀୟ ପରମ୍ପରା ଅନୁସାରେ ଡେରାବିଶ୍ ଏଣ୍ଡରସ୍ଥିତ ବଙ୍ଗାଳି ସାହିରେ ଆଜକୁ ୫୦୦ବର୍ଷ ହେବ ମା' ଦଶଭୁଜାଙ୍କ ପୂଜା କରାଯାଉଛି । ସବୁଠି ମା'ଙ୍କୁ ବିବାହିତା ବୋଲି ଅଭିହିତ କରାଯାଉଥିଲେ ମଧ୍ୟ ଏଠାକାର ପରମ୍ପରା ସମ୍ପୂର୍ଣ୍ଣ ନିଆରା । ଏହି ପୂଜା ମଣ୍ଡପରେ ଝିଅ ରୂପରେ ପୂଜା ପାଇଥାନ୍ତି ମା' ଦଶଭୁଜା । ବାପଘରେ ଝିଅକୁ ଯେପରି ଚର୍ଚ୍ଚା କରାଯାଇଥାଏ ମା'ଙ୍କୁ ଠିକ୍ ସେପରି ଚର୍ଚ୍ଚା କରାଯାଇଥାଏ ଏଠାରେ ।
ମା'ଙ୍କ ନିକଟରେ ଶାଗ, ପଖାଳ, ମାଛ ଭଜା, ମାଛ ତରକାରୀ, ବଡିଚୁରା ଇତ୍ୟାଦି ଭୋଗ ଲଗାଯାଇଥାଏ । ସବୁଠୁ ବଡ କଥା ହେଉଛି କି ଏସବୁ ପ୍ରସାଦକୁ କୌଣସି ବ୍ରାହ୍ମଣ କିମ୍ବା ଅନ୍ୟଲୋକ ନୁହଁନ୍ତି ବରଂ ବଙ୍ଗାଳି ସମ୍ପ୍ରଦାୟର ମହିଳାମାନେ ରୋଷେଇ କରି ମା'ଙ୍କ ନିକଟରେ ଲାଗି କରିଥାନ୍ତି ।
ସତରେ, କୁହାଯାଏ ଯେ ଯାହା ମନ ଜେଣେ ତା' ପ୍ରଭୁ ତେଣେ । ଭକ୍ତ ତା ଭଗବାନଙ୍କୁ ଯେଉଁ ରୂପରେ ଡାକିବ ସେହି ରୂପରେ ପାଇବ । ମା' ଝିଅ ବେଶରେ ପୂଜା ପାଉ କି ବୋହୂ ବେଶରେ ଭକ୍ତ ପାଇଁ ସେ ସର୍ବବିଦିତ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ