କେନ୍ଦ୍ରାପଡା: ମହାକାଳପଡ଼ା ନିପାଣିଆ ଠାରେ ହୋଇଥିବା ଡ଼ଙ୍ଗା ବୁଡି ଘଟଣାରେ ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରିଥିବା ଦୁଇଭଉଣୀ ସବିତା ଓ ପୂର୍ଣ୍ଣିମା ଗିରିଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ମାସରେ ଜଗତସିଂହପୁର କୁଜଙ୍ଗ ବ୍ଲକ ହସିନା ଗ୍ରାମର ଲୋକେ ମହାକାଳପଡ଼ା ହୁକିଟୋଲାକୁ ଭୋଜି କରିବାକୁ ଯାଇ ଡଙ୍ଗାରେ ଫେରୁଥିବା ବେଳେ ନିପାଣିଆ ନିକଟରେ ଡଙ୍ଗା ଓଲଟିପଡିଥିଲା । ସେମାନଙ୍କର ଚିତ୍କାର ଶୁଣି ନିକଟରେ ବସି ପାଠ ପଢ଼ୁଥିବା ଦୁଇଭଉଣୀ ପୂର୍ଣ୍ଣିମା ଓ ସବିତା ଗିରି ଦୌଡ଼ି ଆସି ହାଡଭଙ୍ଗା ଶୀତକୁ ଖାତିର ନକରି ନିଜେ ପାଣି ମଧ୍ୟକୁ ପଶି କିଛି ଲୋକଙ୍କୁ ପ୍ରଥମେ ଉଦ୍ଧାର କରିବା ସହିତ ଲୋକମାନଙ୍କୁ ଡାକି ତିରିଶଟି ମୂଲ୍ୟବାନ ଜୀବନ ରକ୍ଷା କରିଥିଲେ ।
ଏହି ଘଟଣାରେ ଅନ୍ୟୁନ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁଇଭଉଣୀଙ୍କର ଏଭଳି ସାହାସିକତା କାରଣରୁ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିଥିଲା । ସେଥିପାଇଁ ସେମାନଙ୍କୁ ପ୍ରଥମେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପରେ ତତ୍କାଳୀନ ଖଣିମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଦୁଇଭଉଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ