କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରେଲୱେ ଟିକେଟ କାଉଣ୍ଟର ଉପରେ RPF କ୍ରାଇମବ୍ରାଞ୍ଚର ଚଢ଼ାଉ । ଏଥିସହ ତତ୍କାଳ ଟିକେଟ କଳାବଜାରୀରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ତତ୍କାଳ ଟିକେଟଗୁଡିକୁ ବ୍ଲାକରେ ବିକ୍ରି କରୁଥିବା ପ୍ରମାଣ ପାଇବା ପରେ କାଉଣ୍ଟରକୁ ସିଲ୍ କରିଛି ପୂର୍ବତଟ ରେଳପଥର ଅପରାଧିକ ଶାଖା । ତେବେ ଅଭିଯୁକ୍ତ ଜଣକ କାଉଣ୍ଟର୍ରେ ଅବସ୍ଥାପିତ ଅଧିକାରୀ ଭରତ ଚନ୍ଦ୍ର ପୃଷ୍ଟି ବୋଲି ଜଣାପଡ଼ିଛି । ସେହିପରି ଭରତଙ୍କ ପାଖରୁ ୫ଟି ତତ୍କାଳ ରେଳ ଟିକେଟ ସମେତ ନଗଦ ୧୭ ହଜାର ୩୦୦ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ।
ଏହା ମଧ୍ୟ ପଢ଼ନ୍ତୁ- ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କଲା ପୋଲିସ
ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ଚାଲି ଆସୁଥିଲା ଏହି ଟିକେଟ୍ କାରବାର । ଗତକାଲି (ମଙ୍ଗଳବାର) ପୂର୍ବାହ୍ନ ୧୧ଟା ବେଳେ କାଉଣ୍ଟରରେ ହଠାତ ଚଢ଼ାଉ କରିଥିଲା ରେଲ୍ୱେ କ୍ରାଇମବ୍ରାଞ୍ଚ୍ର ୬ ଜଣିଆ ଟିମ୍ । ଏଥିସହ ଟିକେଟ୍ ବ୍ଲାକରେ ବିକ୍ରି କରୁଥିବା ଅଭିଯୋଗରେ ରେଲୱେ ରିଜର୍ଭ ସୁପରଭାଇଜର ତଥା କାଉଣ୍ଟରରେ ଅବସ୍ଥାପିତ ଅଧିକାରୀ ଭରତ ଚନ୍ଦ୍ର ପୃଷ୍ଟିଙ୍କୁ ଆରପିଏଫ୍ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ତେବେ ଦୀର୍ଘଦିନ ଧରି ଭରତ ରେଲୱେ ଟିକେଟ ଦଲାଲଙ୍କ ସହ ମିଶି ତତ୍କାଳ ଟିକେଟରେ ହେର୍ଫେର୍ କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଟିମ ସଦସ୍ୟ ।
ଏହା ମଧ୍ୟ ପଢ଼ନ୍ତୁ- ବ୍ରାଣ୍ଡ ଅସଲି, ଡ୍ରେସ ନକଲି: ଆଉ ଏକ କପଡା ଗୋଦାମରେ ପୋଲିସର ଚଢାଉ
ରେଲୱେ କାଉଣ୍ଟର ଗାଇଡ୍ଲାଇନ ଅନୁଯାୟୀ ଜଣେ କାଉଣ୍ଟର ଅଧିକାରୀ ବା କର୍ମଚାରୀ କାଉଣ୍ଟର୍ରେ ବସିବା ପୂର୍ବରୁ ତାଙ୍କ ପାଖରେ କେତେ ଟଙ୍କା ଓ କେଉଁଥି ପାଇଁ ରହିଛି ସେନେଇ ଅନଲାଇନରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା କଥା । କିନ୍ତୁ ଗତକାଲି ଚଢ଼ାଉ ସମୟରେ ଭରତଙ୍କ ନିକଟରୁ ୧୭ ହଜାରରୁ ଉର୍ଦ୍ଧ୍ବ ଟଙ୍କା ବାହାରିଥିବା ବେଳେ ସେନେଇ ସେ କୌଣସି ସୂଚନା ଉପରିସ୍ଥ ଅଧିକାରୀଙ୍କୁ ଦେଇ ନଥିଲେ । ତେବେ ଅନ୍ୟପଟେ ଭରତଙ୍କ ମୋବାଇଲ ଜବତ କରାଯିବା ପରେ ଭରତଙ୍କୁ ରେଲୱେ ଟିକେଟ ଦଲାଲମାନେ ହ୍ଵାଟ୍ସଆପ୍ ଯୋଗେ ନାଁ ଠିକଣା ପଠାଇ ତତ୍କାଳ ଟିକେଟ କରିନେବାରେ ସଫଳ ହେଉଥିବା ଜାଣିବାକୁ ପାଇଛି ଟିମ୍ । ତେବେ ଅଧିକ ପଚରାଉଚରା ପାଇଁ ଭରତଙ୍କୁ ଖୋର୍ଦ୍ଧା ରେଲୱେ ଡିଭିଜନ୍କୁ ନିଆ ଯାଇଥିବା ସୂଚନା ଦେଇଛନ୍ତି ଏସ୍ଆଇ ଜୟକୃଷ୍ଣ ମଲିକ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା