କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ ମର୍ଡରପୁର ଗାଁରେ ଘରୁ ଡାକିନେଇ ହତ୍ୟା । ଏଭଳି ଅଭିଯୋଗ ଆଣି ୫୩ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ନିଜ ଶ୍ବଶୁର ଘରେ ରହୁଥିବା ପପୁ ମଳିକ ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ଅପରାହ୍ନରେ ସେହି ଗ୍ରାମର ବଟିଆ ମଳିକ ଦୁହୁରିଆ ପାର୍ଶ୍ଵରେ ଥିବା ନିଜ ଗାଡି ସର୍ଭିସିଂ ସେଣ୍ଟରକୁଗାଡି ଧୋଇବାକୁ ଡାକିନେଇଥିଲେ । ଏହା ପରେ ସନ୍ଧ୍ୟା ୫ଟାରେ ବଟିଆର ବାପା ପ୍ରହ୍ଲାଦ ମଳିକ,ପପୁର ଶ୍ୱଶୁର ଘରକୁ ଖବର ଦେଇଥିଲେ ଯେ ପପୁ ବଟିଆ ସର୍ଭିସିଂ ସେଣ୍ଟରରୁ ପାଣିମଟର ଚୋରି କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି ।
ଏନେଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ସର୍ଭିସିଂ ସେଣ୍ଟରର ପଛପଟେ ଥିବା ଏକ ଜଳାଶୟରେ ପପୁ ଭାସୁଥିବାର ଦେଖିବାକୁ ପାଇଥିଲେ। ଅନ୍ୟପଟେ ଏନେଇ ବଟିଆ, ପ୍ରଥମେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପପୁର ମୃତ୍ୟୁ ପାଇଁ ବଟିଆ ଓ ତା ପରିବାରକୁ ଦାୟୀ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଚଣ୍ଡିଖୋଲ-ପାରାଦ୍ୱୀପ ୫୩ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ପପୁର ପରିବାର ଲୋକ ଓ ଗ୍ରାମବାସୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡିମଟର ଅଟକି ରହିଥିଲା ।
ମୃତ ପପୁଙ୍କ ସହ ବଟିଆ ଓ ତାଙ୍କ ପରିବାରର ପୂର୍ବ ଶତ୍ରୁତା ରହିଥିବା ସୂଚନା ମିଳିଥିବା ବେଳେ ବଟିଆ ଓ ତାଙ୍କ ଭାଇମାନେ ଜାତୀୟ ରାଜପଥ କଡରେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଉତ୍ୟକ୍ତ ହୋଇଛନ୍ତି ସାଧାରଣ ଜନତା । କେନ୍ଦ୍ରାପଡା SDPO ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସର୍ଭିସିଂ ସେଣ୍ଟର ସହ ବିଦ୍ୟୁତ ସଂଯୋଗ ପାଇଁ କୌଣସି ସୁବିଧା ନଥିବା ବେଳେ ଦୀର୍ଘ ଦୁଇ କିଲୋମିଟର ଦୂରରୁ ବଟିଆ କିପରି ସର୍ଭିସିଂ ସେଣ୍ଟରକୁ ବିଦ୍ୟୁତ ସଂଯୋଗ ନେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ