କେନ୍ଦ୍ରାପଡ଼ା: ନ' ଦିନର ଘୋଷଯାତ୍ରା ସାରି ଭାଇ ଭଉଣୀଙ୍କୁ ଧରି ରତ୍ନ ସିଂହାସନକୁ ଫେରିଛନ୍ତି ଜଗତକର୍ତ୍ତା । ଦୀର୍ଘ ଦୁଇବର୍ଷ ପରେ ଲୀଳାମୟଙ୍କୁ ରଥାରୂଢ ହେବାର ଦେଖି ଭକ୍ତଙ୍କ ଆଖି ପବିତ୍ର ହୋଇଛି । ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ ବ୍ରହ୍ମ ତାଳଧ୍ଵଜ ରଥରୁ ବଡ ଦେଉଳକୁ ଫେରିବା ପରେ ଶେଷ ହୋଇଛି ଘୋଷଯାତ୍ରା ।
ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ଦୀର୍ଘ ୯ ଦିନର ଘୋଷଯାତ୍ରା ସାଙ୍ଗକୁ ରଘୁନାଥ ବେଶ ଓ ଅଶରୀରୀ ମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭଳି ନୀତିକୁ ମିଶାଇ ୧୧ ଦିନ ପରେ ରତ୍ନ ସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମଙ୍ଗଳବାର ପୂର୍ବାହ୍ନରୁ ରୀତିନୀତି ଅନୁଯାୟୀ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ପ୍ରଥମଥର ପାଇଁ ପ୍ରାୟ ୬୦-୭୦ କିଲୋଗ୍ରାମ ରୂପାର ଅଳଙ୍କାର ପିନ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା ।
କିମ୍ବଦନ୍ତୀ ଅନୁସାରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଜିଉମାନଙ୍କ ସୁନାବେଶ ନଥିବା କାରଣରୁ ରଘୁନାଥ ବେଶରେ ପ୍ରଭୁଙ୍କୁ ସଜା ଯାଇଥାଏ ।ଏଥିସହ ରଥରୁ ଅବତରଣ ସମୟରେ ତିନିଠାକୁରଙ୍କ ଧାଡି ପହଣ୍ଡି ଅନୁଷ୍ଠିତ ହେଉଥିବା ବେଳେ ଚାର ଉପରେ ସେବାୟତ ମାନଙ୍କ ଦ୍ୱାରା ଦୁଇଟି ଫୁଲ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ପ୍ରଥମେ ମହାପ୍ରଭୁ ବଳଦେବଜୀଉ, ପରେ ଭଗିନୀ ସୁଭଦ୍ରା ରତ୍ନ ସିଂହାସନକୁ ଯିବା ପରେ ମଝି ଦେଉଳରେ ଜଗନ୍ନାଥଙ୍କ ବାଟ ଓଗାଳି କବାଟ କିଳିଥିଲେ ଅଭିମାନୀ ଧନଦାତ୍ରୀ ମା'ଲକ୍ଷ୍ମୀ । ଉଭୟ ପାର୍ଶ୍ବରୁ ପରମ୍ପରା ଅନୁଯାୟୀ ବଚନିକା ପାଠ ସହ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ କଳାଠାକୁର ।
କୋରୋନା ଯୋଗୁଁ ଗତ ଦୁଇବର୍ଷ ଧରି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ବନ୍ଦ ରହିଥିବା ଘୋଷଯାତ୍ରା ଦେଖିବା ପାଇଁ ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ ଚଳିତବର୍ଷ ରଥ ଚାଲିବାରେ ବ୍ୟତିକ୍ରମ ଦେଖାଦେଇଥିଲା । ଫଳରେ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା