କେନ୍ଦ୍ରାପଡା: ଦୂର ହେଲା ଚାଷୀଙ୍କ ଦୁଃଖ । ଶୀତଳ ଭଣ୍ଡାରଟିଏ ପାଇଁ ଦୀର୍ଘଦିନରୁ ଦାବି କରିଆସୁଥିବା କେନ୍ଦ୍ରାପଡା ଚାଷୀଙ୍କ ମୁହଁରେ ଫୁଟିଲା ହସ । ଉଦଘାଟନ ହେଲା ରାଜ୍ୟର ପ୍ରଥମ ମହିଳାଙ୍କ ଦ୍ବାରା ପରିଚାଳିତ ଶୀତଳ ଭଣ୍ଡାର । ଏହା ମାଧ୍ୟମରେ ଉପକୃତ ହୋଇପାରିବେ SHG ମହିଳାଙ୍କ ସମେତ ଜିଲ୍ଲାର ଚାଷୀ । ଚାଷୀଙ୍କ ପନିପରିବାକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ଏହି ଶୀତଳ ଭଣ୍ଡାର ବା କୋଲ୍ଡ ଷ୍ଟୋର ।
ଚାଷୀପ୍ରବଣ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘଦିନରୁ ଶୀତଳ ଭଣ୍ଡାର ପାଇଁ ଦାବି ହୋଇ ଆସୁଥିଲା । ବାରମ୍ବାର ଆପତ୍ତି ଅଭିଯୋଗ ପରେ ମଧ୍ୟ ଶୀତଳ ଭଣ୍ଡାର ପାଇଁ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ଚାଷୀମାନଙ୍କ ପାଇଁ ଓଡିଶା ଜୀବିକା ମିଶନ ଏକ ନୂତନ ଆଶା ଆଣିଦେଇଛି । ଏଥିସହ ଏହି ଆଶାକୁ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ରାପଡ଼ା ବ୍ଲକ ଅଧିନ ଚନ୍ଦନପୁର ପଞ୍ଚାୟତ ପରିସରରେ ଦଧିବାମନଜୀଉ ଉଦ୍ୟୋଗ ଗୋଷ୍ଠୀ ଦ୍ୱାରା ୨୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ୧୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ।
କେଶପୁର, ଚନ୍ଦନପୁର, ଚାରିଗାଁ, ସାନ ମାଣତିଆ, ପଳସିଙ୍ଗା ପଞ୍ଚାୟତ ଆଦି ନଦୀକୂଳିଆ ୫ଟି ପଞ୍ଚାୟତର ଚାଷୀ ବର୍ଷଯାକ ବାଇଗଣ, ଆଳୁ, ପିଆଜ, କୋବି, ଝୁଡଙ୍ଗ ଆଦି ଫସଲ ଉତ୍ପାଦନ କରୁ ଥିବାବେଳେ ଏଗୁଡିକ ବଜାର ଅଭାବ ଯୋଗୁଁ ବିକ୍ରି ସମ୍ଭବ ହେଉନଥିବାରୁ ପଚିସଢ଼ି ଯାଇଥାଏ । ଏହି ଶୀତଳ ଭଣ୍ଡାର ଉଦଘାଟନ ହେବା ପରେ ପନିପରିବା ସଂରକ୍ଷିତ ହୋଇପାରିବ ବୋଲି ଆଶା ରଖିଛନ୍ତି ଚାଷୀ ।
ମିଶନ ଶକ୍ତି ବା ଓଡ଼ିଶା ଜୀବିକା ମିଶନ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଚାଷୀଙ୍କୁ ସହାୟତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଓ ବ୍ଲକ ପ୍ରଶାସନର ଏହି ଅଭିନବ ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ପାଞ୍ଚଟି ପଞ୍ଚାୟତର ୧୨ ଜଣ ମହିଳା ଏହି ଉଦ୍ୟୋଗର ମୁଖ୍ୟ କାର୍ଯ୍ୟକର୍ତ୍ତା ରହି ଥିବାବେଳେ ୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପଞ୍ଚାୟତ ପରିସରରେ ନିର୍ମିତ ଏହି ସ୍ୱାବଲମ୍ବୀ ଗୃହ ବା ଶୀତଳ ଭଣ୍ଡାରର ରକ୍ଷଣାବେକ୍ଷଣ କରିବେ ।
ଏନେଇ ସ୍ଥାନୀୟ ସରପଞ୍ଚ ରାଜ୍ୟର ଏହି ପ୍ରଥମ ସୌରଚାଳିତ ଶୀତଳଭଣ୍ଡାର ନିର୍ମାଣ ତଥା ଜିଲ୍ଲାର ପ୍ରଥମ ଶୀତଲଭଣ୍ଡାର ପାଇଁ ରାଜ୍ୟ ସରକାର, ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ପ୍ରଥମ ସୌରଚାଳିତ ଏହି ଶୀତଳ ଭଣ୍ଡାର ପାଇଁ ୧୫ ଲକ୍ଷ ଟଙ୍କାର ଯନ୍ତ୍ରପାତି କିଣା ଯାଇଥିବା ଏବଂ ଚାଷୀଙ୍କ ଠାରୁ ଶୀତଳଭଣ୍ଡାର ଦେୟ ବାବଦକୁ କିଲୋପ୍ରତି ୩୦-୪୦ପଇସା ଆଦାୟ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡା ବିଡ଼ିଓ ।
ତେବେ ଏହି ଶୀତଳ ଭଣ୍ଡାର ଯୋଗୁଁ କେବଳ ଯେ କେନ୍ଦ୍ରାପଡାବାସୀ ଉପକୃତ ହେବେ ତାହା ନୁହେଁ, ପାଖ ଜିଲ୍ଲାବାସୀ ମଧ୍ୟ ଲାଭପ୍ରଦ ହେବେ । ତେବେ ଏହାକୁ ନେଇ ଚାଷୀଙ୍କ ମନରେ ସୃଷ୍ଟି ହୋଇଥିବା ଆଶା ଫଳପ୍ରଦ ହେଉ ବୋଲି ସମସ୍ତଙ୍କ କାମନା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ