କେନ୍ଦ୍ରାପଡା: ବିଳମ୍ବିତ ରାତିରେ ଗ୍ରିଲ ତାଲା ଭାଙ୍ଗି ଦୁଇ ପରିବାରରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ବିରୋଧ କରିବାରୁ ସ୍ବାମୀ-ସ୍ତ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରି କଲେ ଘାଇଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନ୍ପୁର ଗ୍ରାମରେ ।
ସୂଚନାନୁଯାୟୀ, କୁସୁନ୍ପୁର ଗ୍ରାମର କାହ୍ନୁ ଚରଣ ନାୟକଙ୍କ ଘରେ ରବିବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ଗ୍ରିଲ ତାଲା ଭାଙ୍ଗି ପଶିଥିଲେ । ଚୋରି କରୁଥିବା ସମୟରେ ପରିବାର ଲୋକେ ଉଠି ଚୋରକୁ ବିରୋଧ କରିବାରୁ ୬ ଜଣ ଦୁର୍ବୃତ୍ତ ଭୁଜାଲିରେ ସ୍ବାମୀ ଓ ସ୍ତ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ପରେ ଅନ୍ୟ ଏକ ଘରେ, ଆଉ ଦୁଇ ଜଣଙ୍କୁ ପୁରାଇ ଘରର ବାହାର ପଟୁ ତାଲା ପକାଇଦେଇଥିଲେ ।
ଖବରପାଇ ସ୍ଥାନୀୟ ଲୋକେ ସ୍ବାମୀ ଏବଂ ସ୍ତ୍ରୀ ଙ୍କୁ ଉଦ୍ଧାର କରିଥିଲେ । ଗୁରୁତର କାହ୍ନୁ ଚରଣ ନାୟକ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବାବେଳେ ମହିଳା ଜଣଙ୍କ କେନ୍ଦ୍ରାପଡା ମେଡିକାଲରୁ ଘରକୁ ଫେରିଛନ୍ତି । ଅଭିଯୋଗ ପାଇବାପରେ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ