କେନ୍ଦ୍ରାପଡା: ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଜଣେ ଅପହୃତ ନାବାଳିକାର ପରିବାରକୁ ଦେଇଥିବା ବାର୍ତ୍ତା । ନାବାଳିକା ଜଣଙ୍କୁ କେହି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କୁ କେହି ଅପହରଣ କରି ନାହାନ୍ତି ସେ ନିଜ ଇଚ୍ଛାରେ ଆସିଥିବା କହିଛନ୍ତି । ଏହା ସହ ସେ ପାଶବିକତାର ଶିକାର ହୋଇଥିବା ମଧ୍ୟ ତାଙ୍କ ପରିବା ଲୋକଙ୍କୁ ଏକ ଭିଡିଓ ଜରିଆରେ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୪ ବର୍ଷୀୟା ନାବଳିକାକୁ ଉକ୍ତ ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୨୩ ବର୍ଷୀୟ ଖଗେଶ୍ବର ଶର୍ମା ନାମକ ଜଣେ ଯୁବକ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ବ ସମୟ ହେବ ଅପହରଣ କରି ନେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଥିଲା । ଏହା ପରେ ପୋଲିସର ତଦନ୍ତରେ ବିଳମ୍ବ କାରଣରୁ ନାବଳିକାଙ୍କ ପରିବାର ପକ୍ଷରୁ ଯୁବକଙ୍କ ଘର ଉପରେ ଅତର୍କିତ ଆକ୍ରମଣ ନେଇ ଆଉ ଏକ ଅଭିଯୋଗ ଯୁବକଙ୍କ ପରିବାର ପକ୍ଷରୁ ଆଳି ଥାନାରେ ରୁଜ୍ଜୁ ହୋଇଥିଲା ।
ଏଭଳି ସମୟରେ ଯୁବକଙ୍କ ପାଖରେ ପୋଲିସ ଟିମ ପହଞ୍ଚିବା ଆଗରୁ ନାବାଳିକା ଜଣଙ୍କର ଏକ ଭିଡିଓ ଜରିଆରେ ପରିବାର ଲୋକଙ୍କ ମେସେଜ ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟିରେ ନାବାଳିକା ଜଣଙ୍କ ତାଙ୍କୁ କେହି ଅପହରଣ କରିନାହାନ୍ତି, ସେ ନିଜ ଇଚ୍ଛାରେ ଘର ଛାଡ଼ି ଆସିଥିବା କହୁଥିବା ବେଳେ ତାଙ୍କ ଉପରେ ଟ୍ୟୁସନ ସାର ଓ ସମ୍ପର୍କୀୟ ପାଶବିକ ଅତ୍ୟାଚାର କରିଥିବାରୁ ଯୁବକଙ୍କୁ ତାଙ୍କ ସହ ଜୋର ଜବରଦସ୍ତ ଘର ଛାଡ଼ି ଚାଲି ଆସିଥିବା ତାଙ୍କ ବାପାଙ୍କୁ କାନ୍ଦିକାନ୍ଦି କହୁଥିବା ଦେଖିବାକୁ ମିଳିଛି ।
ଏପରିକି ତାଙ୍କ ଉପରେ ସମ୍ପର୍କୀୟ ଓ ଟ୍ୟୁସନ ସାରଙ୍କ ପାଶବିକ ଅତ୍ୟାଚାର ନେଇ ନିଜ ମାଆଙ୍କୁ କହିଥିଲେ ମଧ୍ୟ ମାଆ କୌଣସି ପଦକ୍ଷେପ ନନେବାରୁ ସେ ବାଧ୍ୟ ହୋଇ ଘର ଛାଡ଼ି ନିଜ ବାଟ ନିଜ ବାଛି ନେଇଥିବା ଭିଡିଓଟିରେ ଦେଖିବାକୁ ମିଳିଛି । ତେବେ ଏନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବାବେଳେ, ପୋଲିସ ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ନଦେଇ ନିରବ ରହିଛି ।
ଇଟିଭି ଭାରତ, କେନ୍ଦ୍ରାପଡା