କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ପାଇଁ ଉଠିଲା ଦାବି। ଏନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାକୁ ହତାଦର କରୁଛନ୍ତି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା ।
ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ସହ ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବି କରିଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚା। ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ଜିଲ୍ଲାର ୫ ଜଣ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ପ୍ରଦର୍ଶନକାରୀ। ଦାବି ପୂରଣ ନହେଲେ ଆଗାମୀ ଦିନରେ ପ୍ରତ୍ୟେକ ଗାଁ ଓ ପଞ୍ଚାୟତକୁ ଯାଇ ବିରୋଧ କରାଯିବ ବୋଲି କହିଛନ୍ତି ବିକ୍ଷୋଭକାରୀ ।
ରାଜ୍ୟ ସରକାର କେବିକେ ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲା ତଥା ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ାକୁ ହତାଦର କରୁଛନ୍ତି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଦାୟିତ୍ବ ନେଇଥିଲେ। ହେଲେ ଏବେ ସେ ଦାୟିତ୍ବ ଭୁଲି ଯାଇଛନ୍ତି। ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋଇଛି। ଜିଲ୍ଲାର ଦାବିଗୁଡ଼ିକ ସ୍ଥାନୀୟ ବିଧାୟକ କିମ୍ବା ସାଂସଦ ଉଠାଉ ନାହାଁନ୍ତି । ଏହା ସେମାନଙ୍କ ବୈମାତୃକ ମନୋଭାବକୁ ବୁଝାଉଛି ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ