କେନ୍ଦ୍ରାପଡା: ଦୀର୍ଘ 9 ମାସ ବ୍ୟବଧାନ ପରେ ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଛି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର । ସକାଳ 4 ଟାରୁ ମନ୍ଦିର ଖୋଲାଯାଇଛି । ପୌଷ ମାସ ହେତୁ ବଳଭଦ୍ରଜୀଉଙ୍କ ନିକଟରେ ପକୁଡି ଭୋଗ କରାଯାଇଥିଲା । ସକାଳୁ ମଙ୍ଗଳାର୍ପଣ କରାଯାଇ ସ୍ନାନ, ଆଳତୀ କରାଯାଇଛି ।
ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇଛି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ କୋଭିଡ ନିୟମ ଅନୁପାଳନ ପାଇଁ ଦୁଇ ପ୍ଲାଟୁନ ଫୋର୍ସ ସହ ଦୁଇ ବରିଷ୍ଠ ଅଧିକାରୀ ମଧ୍ୟ ମନ୍ଦିରରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି।
ପୂର୍ବାହ୍ନ ୯ଟା ରେ ଖେଚୁଡ଼ି ଭୋଗ ଲାଗି କରାଯିବା ସହ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ସୁପରଭାଇଜର । ତେବେ ଦୀର୍ଘଦିନ ପରେ ପ୍ରଭୁଙ୍କ ପାଖରୁ ଦର୍ଶନ କରିଥିବାବେଳେ ବେସ ଖୁସି ଅନୁଭବ କରିବା ସହ ବିଶ୍ବରୁ କୋରୋନା ମହାମାରୀ ଦୂରେଇବା ପାଇଁ ପ୍ରାର୍ଥନା କରିଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ