କେନ୍ଦ୍ରାପଡା: ଅଚାନକ ଲୋକଙ୍କୁ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା । ଜଣେ କି ଦୁଇ ଜଣେ ନୁହେଁ ଏକାଥରେ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା । ଦୁଇ ହଜାରଠୁ ଆରମ୍ଭ କରି ଦୁଇ ଲକ୍ଷ ଯାଏଁ ଜମା ହୋଇଗଲା ଆକାଉଣ୍ଟରେ । ମୋବାଇଲକୁ ମେସେଜ ଆସିବା ପରେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ଲାଗିଲା ଅସମ୍ଭାଳ ଭିଡ । ସ୍ଥିତି ଏଭଳି ହେଲା ଯେ ଲୋକଙ୍କୁ ନିୟନ୍ତ୍ରଣ କରିବାରୁ ପୋଲିସ ଡକାଇବାକୁ ପଡିଲା । ଏମିତି କିଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅନ୍ତର୍ଗତ ବାଟିପଡା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ।
ସୂଚନା ଅନୁଯାୟୀ, ଗତକାଲି ଆଳି ଅଞ୍ଚଳର ବାଟିପଡା ଗ୍ରାମ୍ୟ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଅଚାନକ ଟଙ୍କା ଆସିଥିଲା । ଦୁଇ ହଜାର ଠାରୁ ଦୁଇ ଲକ୍ଷ ଟଙ୍କା ଯାଏଁ ଆକାଉଣ୍ଟରେ ଜମା ହୋଇଯାଇଥିଲା । ଏନେଇ ମୋବାଇଲକୁ ମେସେଜ ଆସିବା ପରେ ଏହି ଖବର ସାରା ଅଞ୍ଚଳରେ ଖେଳି ଯାଇଥିଲା । ଗୁରୁବାର ସକାଳେ ବ୍ୟାଙ୍କ ଖୋଲିବା ପରଠୁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ ଜମିଥିଲା । ବାଟିପଡା, ସହିରା, ନୂଆପଡା, ସାନମଙ୍ଗ ଭଳି ଆଖପାଖ ଅଞ୍ଚଳର ହିତାଧିକାରୀମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବା ସହିତ ଚେକିଂ କରିବାକୁ ଆସିଥିଲେ l ଲୋକଙ୍କ ଭିଡ଼କୁ ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଆଳି ଆଇଆଇସି ବ୍ୟାଙ୍କରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ l
ଏହାମଧ୍ୟ ପଢନ୍ତୁ: ପ୍ରେମ କରି ପାପ କରି ଦେଲା ଝିଅ ! ଜିିଇଁ ଥାଉଥାଉ ପିଣ୍ଡ ଦେଇଦେଲେ ପରିବାର ଲୋକେ
ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି । ବ୍ୟାଙ୍କ ପରିଚାଳକ ମଧ୍ୟ ଏକାସଙ୍ଗେ ଏତେ ଗୁଡିଏ ଆକାଉଣ୍ଟକୁ ଟଙ୍କା ଆସିବା ନେଇ ସନ୍ଦେହରେ ରହିଛନ୍ତି l ଏ ସମ୍ପର୍କରେ ଶାଖା ପରିଚାଳକ କହିଛନ୍ତି ଯେ, ଆଜି ଲୋକମାନେ ବ୍ୟାଙ୍କରେ ଭିଡ଼ ଜମାଇଥିଲେ, ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ଜାଣିବା ପାଇଁ l ଆମେ ୩୦୦ ଆକାଉଣ୍ଟ ଚେକ୍ କରିଥିଲୁ । ସେଥିରୁ ୪୦ ଜଣଙ୍କ ଆକାଉଣ୍ଟରେ କେଉଁଠୁ ଟଙ୍କା ଆସିଛି ତାହା ଜଣା ପଡ଼ିନାହିଁ । କାହା ଆକାଉଣ୍ଟକୁ ୩୦-୪୦ ହଜାର ତ ଆଉ କାହା ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ଆସିଛି l ଏଥିପାଇଁ ଲୋକମାନେ ବେଶ୍ ଖୁସି ଥିବା ସେ କହିଛନ୍ତି l
ଇଟିଭି ଭାରତ, କେନ୍ଦ୍ରାପଡା