ଭୁବନେଶ୍ବର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପିଛା ଛାଡୁନି ବିବାଦ । ସାଂସଦ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ସାଂସଦ ମହାନ୍ତି । କେତେବେଳେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବାହର କରି ତ କେତେବେଳେ ନିଜ ନିର୍ବାଚନ ପୋଷ୍ଟର ବ୍ୟାନର ବାକି ଟଙ୍କାକୁ ନେଇ । ଏବେ ପୁଣି ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଫସିଛନ୍ତି ସେ । ସଂଗ୍ରେସ ସାଂଘାତିକ ଅଭିଯୋଗ ଆଣି କହିଛି, ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ଏପଟେ କଂଗ୍ରେସ ଅଭିଯୋଗକୁ ଷଡଯନ୍ତ୍ର କହି ସଫେଇ ଦେବାରେ ଲାଗିଛନ୍ତି ସାଂସଦ ଅନୁଭବ ।
ରବିବାର କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ନିଶିକାନ୍ତ ମିଶ୍ର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ସାଂସଦ ଅନୁଭବଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କଂଗ୍ରେସ ଅଭିଯୋଗ କରିଛି ନିଜ ନିର୍ବାଚନୀ ସତ୍ୟପାଠରେ ଜାଲ ସାର୍ଟିଫିକେଟ ଦାଖଲ କରି ମିଥ୍ୟା ସତ୍ୟପାଠ
ଦାଖଲ କରିଛନ୍ତି ଅନୁଭବ ।
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର କହିଛନ୍ତି ୨୦୧୪ ରାଜ୍ୟସଭା ନିର୍ବାଚନ ବେଳେ ସତ୍ୟପାଠରେ ଅନୁଭବ ମହାନ୍ତି ମିଥ୍ୟା ତଥ୍ୟ ଦେଇଥିଲେ । ଅନୁଭବ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଉତ୍ତର ପ୍ରଦେଶର ମିରଟର ସୋଭିଏତ ଯୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ ପାସ କରିଛନ୍ତି। କିନ୍ତୁ ୨୦୧୦ରେ ଉକ୍ତ ବିଶ୍ବବିଦ୍ୟାଳୟର ସ୍ବୀକୃତି ପ୍ରତ୍ୟାହାର କରାଯାଇଛି। ଯାହା କେନ୍ଦ୍ର ମାନବ ସମ୍ବଳ ବିଭାଗ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହେଉଛି । ତେବେ କେମିତି ଅନୁଭବ ବିଏ ପାସ କଲେ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି ।
ସେହିପରି କଂଗ୍ରେସ ସୂଚନା ଅଧିକାର ତଥ୍ୟକୁ ଆଧର କରି ଅଭିଯୋଗ କରିଛି ଅନୁଭବ ୨୦୦୩ରେ କଟକ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର ଥିଲେ । ତାଙ୍କୁ ଏପର୍ଯ୍ୟନ୍ତ ମାଇଗ୍ରେସନ ସାର୍ଟିଫିକେଟ ମିଳିନାହିଁ । ନିୟମ ଅନୁସାରେ ମାଇଗ୍ରେସନ ସାର୍ଟିଫିକେଟ ବିନା ଅନ୍ୟ କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖା ହୋଇପାରିବ ନାହିଁ। ଏଭଳି କ୍ଷେତ୍ରରେ ଅନୁଭବ କିଭଳି ମିରଟର ସୋଭିଏତ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ ପାସ କଲେ ତାହାକୁ ନେଇ ଦଳ ପ୍ରଶ୍ନ ଉଠାଇଛି ।
ସାମ୍ବିଧାନିକ ବିଧି ବ୍ୟବସ୍ଥା ତଥା ଜନପ୍ରତିନିଧି ଆଇନ ନିର୍ବାଚନ ଲଢିବା ପାଇଁ ଜଣେ ପ୍ରାର୍ଥୀଙ୍କର ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିନଥିବା ସ୍ଥଳେ, ଯେଉଁମାନେ ଆଇନ ପ୍ରଣୟନ କରିବା ପାଇଁ ବିଧାନସଭା ହେଉ କି ଲୋକସଭା ନିର୍ବାଚନ ଲଢୁଛନ୍ତି ସେମାନେ ନିଜକୁ ସମାଜ ଆଖିରେ ଉଚ୍ଚ କରିବା ପାଇଁ ହେଉ କି ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ଉଦ୍ଦେଶ୍ୟରେ ଜାଲ ସାର୍ଟିଫିକେଟ ଦେଇ ଉଚ୍ଚଶିକ୍ଷିତ ବୋଲି ସତ୍ୟପାଠ ମାଧ୍ୟମରେ ଦର୍ଶାଇବା ଏକ ସାଧାରଣ ପ୍ରକ୍ରିୟା ହୋଇଯାଇଛି । ତେଣୁ ବିଶ୍ବବିଦ୍ୟାଳୟରୁ ଜାଲି ସାର୍ଟିଫିକେଟ ନେଇଥିବା ସାଂସଦ ଭାରତବର୍ଷର ଆଇନ ନିର୍ମାତା । ସରକାର ତୁରନ୍ତ ମାମଲା ରୁଜୁ କରି ପଦକ୍ଷେପ ନିଅନ୍ତୁ । ଏହା କେବଳ କେନ୍ଦ୍ରାପଡା ପାଇଁ ଲଜ୍ଜା ନୁହେଁ, ସମଗ୍ର ରାଜ୍ୟ ପାଇଁ ଲଜ୍ଜା । ନିଜର ସାଧୁତା ଓ ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଅଦାଲତର ଛାଟ ପଡିବା ପୂର୍ବରୁ ଜାଲି ନେତାମାନଙ୍କୁ ତୁରନ୍ତ ଜେଲରେ ଭର୍ତ୍ତି କରନ୍ତୁ ବୋଲି ନିଶିକାନ୍ତ ଦାବି କରିଛନ୍ତି ।
ସୂଚନାଯୋଗ୍ୟଯେ ଏକ ସପ୍ତାହ ତଳେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଜାଲ ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ ମାମଲା ରୁଜୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପେଟ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଅନୁଭବ କହିଛନ୍ତି କଂଗ୍ରେସ ଅଭିଯୋଗ ଭିତ୍ତିହୀନ। କୌଣସି ସତ୍ୟତା ନାହିଁ। ଉଦ୍ଦେଶ୍ୟ ମୂଳକ ଭାବେ ମୋ ନାଁରେ ଅଭିଯୋଗ କରାଯାଇଛି। ମୁଁ ସତ୍ୟପାଠ ଦାଖଲରେ କୌଣସି ଭୁଲ ତଥ୍ୟ ଦେଇ ନାହିଁ। କଂଗ୍ରେସ କେନ୍ଦ୍ରାପଡାରେ ବିଭିନ୍ନ ଉନ୍ନୟନ ମୂଳକ କାମ ଦେଖି ଇର୍ଷାନ୍ବିତ ହୋଇପଡିଛି। ମୋର କୌଣସି ଅସୁବିଧା ହେବ ନାହିଁ । 2019 ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାବାସୀ ବିଜୁ ଜନତା ଦଳକୁ ଓ ମୋତେ ଆଶୀର୍ବାଦ କରିଛନ୍ତି । କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖାନ କରିଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଗକୁ ମଧ୍ୟ ମୁଁ ବିକାଶ ମୂଳକ କାର୍ଯ୍ୟ କରିଚାଲିବି ବୋଲି କହିଛନ୍ତି ଅନୁଭବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ