କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ପୋଲିସକୁ ସଫଳତା । ପଟ୍ଟାମୁଣ୍ଡାଇ ପୋଲିସ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ୯ ଜଣକୁ ଗିରଫ କରିଥିବା ବେଳେ ୩ ଜଣ ଫେରାର ରହିଛନ୍ତି । ଏନେଇ ଗତକାଲି(ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।
ସୂଚନାଅନୁସାରେ, ଚଉଦକୁଲାଟ ମଦ କାଉଣ୍ଟର ପାଖରେ ଗତ 19 ତାରିଖ ସନ୍ଧ୍ୟାରେ ଡକାୟତି ପାଇଁ ପ୍ରସ୍ତୁତି ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଚଢାଉ କରିଥିଲା । ଘଟଣାସ୍ଥଳରୁ ଡକାୟତଙ୍କ ଠାରୁ ୨ଟି ମଟର ସାଇକେଲ, ଗୋଟିଏ ଛୁରୀ, ୨ଟି ଲୁହା ରଡ଼, ଗୋଟିଏ ଭୁଜାଲି କଟୁରୀ ଏବଂ ଗୋଟିଏ ଦେଶୀ ପିସ୍ତଲ ସହ 4ଟି ମୋବାଇଲକୁ ଜବତ କରିଛି । ସମ୍ପୃକ୍ତ ଅଞ୍ଚଳରୁ ୭ଜଣକୁ ଗିରଫ କରା ଯାଇଥିବାବେଳେ ୩ ଜଣ ଫେରାର ହୋଇଯାଇଥିଲେ । ତେବେ ସେମାନଙ୍କୁ ପଚରାଉଚରା ସମୟରେ ବାହାରିଛି ଏକ ଚୋରି ଘଟଣାର ଲିଙ୍କ।
କିଛିଦିନ ତଳେ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମରେ ଏକ ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତିକୁ ପାଇଛି ପୋଲିସ । ଅନ୍ୟପଟେ ଚୋରି ସାମଗ୍ରୀ କିଣିବା ଅପରାଧରେ ପୋଲିସ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି । ଚୋରି ହୋଇଥିବା ସାମଗ୍ରୀ ସହ ଚୋରି ଅଳଙ୍କାରକୁ ଜବତ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ସମ୍ବିତ ସମ୍ପଦ ମଦକର ।
ପ୍ରକାଶଥାଉକି, କେନ୍ଦ୍ରାପଡ଼ା ଏସପିଙ୍କ ନିର୍ଦେଶକ୍ରମେ ଗତ ଦୁଇମାସ ମଧ୍ୟରେ ଡକାୟତ ଦଳଙ୍କୁ ଧରିବାପାଇଁ କେନ୍ଦ୍ରାପଡ଼ା ପୋଲିସ ଉଦ୍ୟମ ଜାରି ରଖିଥିବାବେଳେ ଅଦ୍ୟାବଧି ୬୦ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ