କେନ୍ଦ୍ରାପଡ଼ା: ଜିଲ୍ଲାରେ ଦୀର୍ଘ ସମୟ ଧରି ତହସିଲ ଅଫିସ ଆଗରେ ଅନଶନ ଓ ଗଣଧାରଣାରେ ବସିଛନ୍ତି ଶହ ଶହ ଚାଷୀ । ତେବେ ଉଜୁଡି ଯାଇଥିବା ଫସଲ ବାବଦୀୟ ତହସିଲ ପ୍ରଶାସନର କ୍ଷୟକ୍ଷତି ଆକଳନରେ ଟାଳଟୁଳ ନୀତି, ସ୍ଥାୟୀ ତହସିଲଦାର ନିଯୁକ୍ତି ସମେତ ଅତିରିକ୍ତ ତହସିଲଦାର ବଦଳି ଦାବିରେ ଏମାନେ ଧାରଣା ଦେଇଥିବା ସୂଚନା ମିଳିଛି ।
ଡେରାବିଶ ତହସିଲ ଅଧିନ ୨୬ଟି ପଞ୍ଚାୟତରେ ଗତ ଫନି ବାତ୍ୟା ସମୟରେ ହୋଇଥିବା କ୍ଷତିପୂରଣ ସମ୍ପର୍କିତ ଅର୍ଥ ପ୍ରଦାନ କରାଯାଇନାହିଁ । ସେପଟେ ୨ ଥରର ଲଗାଣ ବର୍ଷାରେ ଧୋଇ ଯାଇଥିବା ଫସଲ କ୍ଷତିପୂରଣ ଅର୍ଥ ଦେବା ପାଇଁ ତହସିଲ ପ୍ରଶାସନ ଅମଙ୍ଗ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାସହିତ ଡେରାବିଶ ତହସିଲଦାରଙ୍କୁ ଜିଲ୍ଲା ଆପାଦକାଳୀନ ଅଧିକାରୀ ଦାୟିତ୍ବ ଦିଆଯାଇଥିବା କାରଣରୁ ଅନେକ ସମୟରେ ତହସିଲଦାର ଅନୁପସ୍ଥିତ ରହୁଥିବାରୁ ଚାଷୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ପ୍ରକାର ପ୍ରମାଣପତ୍ର ପାଇବାରେ ଅସମର୍ଥ ହେଉଛନ୍ତି ।
ଯାହାର ଫାଇଦା ନେଇ ଅତିରିକ୍ତ ତହସିଲଦାର ଲାଞ୍ଚ ନ ନେଲେ ସେସମସ୍ତ କାଗଜପତ୍ର କାର୍ଯ୍ୟ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ଜଣେ ସ୍ଥାୟୀ ତହସିଲଦାର ନିଯୁକ୍ତି ସହ ଅତିରିକ୍ତ ତହସିଲଦାରଙ୍କୁ ଏଠାରୁ ବଦଳି କରିବା ପାଇଁ ଜିଦ କରି ଧାରଣାରେ ବସିଛନ୍ତି ଚାଷୀ ଓ ସାଧାରଣ ଲୋକେ । ତେବେ ସମସ୍ତ ଅଭିଯୋଗର ସମାଧାନ କରାଯିବା ସହ ଲାଞ୍ଚ ମାଗିବା ଘଟଣାର ପ୍ରମାଣ ମିଳିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ