କେନ୍ଦ୍ରାପଡ଼ା: ଏମଜିକ୍ୟୁରୁ ଅଧିକ ମଦ ବିକ୍ରି କରୁଥିବା ମଦ ବ୍ୟବସାୟୀଙ୍କୁ ପୁରସ୍କୃତ କରିବାପାଇଁ ହୋଇଥିବା ସୁପାରିସକୁ ନେଇ ସମାଲୋଚିତ ହୋଇଛନ୍ତି ରାଜ୍ୟ ସରକାର। ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଥିବା ବେଳେ ବିଜେପିର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଯଶିପୁର ବିଧାୟକ ଗଣେଶ ଖୁଣ୍ଟିଆ ମଧ୍ୟ ସଦସ୍ୟ ଅଛନ୍ତି। ଏଥିସହ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଚନ୍ଦ୍ରସାରଥୀ ବେହେରା ସଦସ୍ୟ ଥିବାବେଳେ ଏଭଳି ଏକ ସୁପାରିସ କିପରି କରାଗଲା ବୋଲି ଅନେକଙ୍କ ମନରେ ପ୍ରଶ୍ନ।
ଏହି ପ୍ରସଙ୍ଗ ଉପରେ ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଏଭଳି ଏକ ନିଷ୍ପତ୍ତି କେବେବି ହୋଇନଥିବ ଏବଂ ଚୋରାମଦକୁ ରୋକିବା ପାଇଁ ଏଭଳି ଅନ୍ୟଢଙ୍ଗରେ କୁହାଯାଇଥିବ। ତେବେ ବିଧାନସଭାର ଗୃହ କମିଟିର ସମସ୍ତ ସୁପାରିସକୁ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହେଁ ଏବଂ ଏହା ବିଧାନସଭାରେ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଶ୍ରୀ ବେହେରା।
ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ବିରୋଧି ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡି ଓ ବିଜେପି ଦୁଇଭାଇ । ସେମାନେ ମଦ ଓ ମଦୁଆଙ୍କୁ ପ୍ରୋତ୍ସାହନ ଦିଅନ୍ତି। ଓଡ଼ିଶାରେ ମଦର ବହୁଳ ଭାବରେ ବିକ୍ରି ଯୋଗୁଁ ଅପରାଧ ବଢିଛି । ମଦପାନ ଯୋଗୁଁ ପ୍ରତ୍ୟେକ ଦିନ ରାଜ୍ଯରେ ସାତୋଟି ଦୁଷ୍କର୍ମ ହେଉଛି ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିବା କହିଛନ୍ତି ନରସିଂହ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ