କେନ୍ଦ୍ରାପଡା: ଅଭିଯୋଗକାରୀଙ୍କ ଅଭିଯୋଗକୁ ଶୁଣିଲାନି ପୋଲିସ । ତଦନ୍ତ ସମ୍ପର୍କରେ ପ୍ରଶ୍ନ କରିବାରୁ ଲାଞ୍ଚ ମାଗିବା ସହ ମାଆ ଓ ପୁଅଙ୍କୁ ଦୁର୍ବ୍ୟବହାର କଲେ ଚାନ୍ଦୋଳ ଫାଣ୍ଡି ଅଧିକାରୀ । ଗିରଫ ଦାବିରେ କେନ୍ଦ୍ରାପଡ଼ା ସଦର ଥାନା ଆଗରେ ଧାରଣା ଦେଇଛନ୍ତି ବୃଦ୍ଧ ଦମ୍ପତ୍ତି । ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଛନ୍ତି ରମେଶ ରାଉତ ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ରାଉତ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଏକ ବର୍ଷ ତଳେ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ନାନକାର ଗ୍ରାମର ଜମିବାଡ଼ିକୁ ନେଇ ରମେଶ ରାଉତଙ୍କ ସହ ପୁତୁରା ଦୁର୍ଯ୍ୟୋଧନ ରାଉତ ଓ ସୁଧାକର ରାଉତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ରମେଶଙ୍କ ସ୍ତ୍ରୀ ସଂଯୁକ୍ତା ରାଉତ ଓ ପୁଅ କମଳ ରାଉତଙ୍କୁ ମାଡ଼ ମାରିଥିଲେ ଦୁଇ ପଡୋଶୀ । ଏନେଇ ରମେଶଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଚାନ୍ଦୋଳ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଘଟଣା ସମ୍ପର୍କରେ କୌଣସି ତଦନ୍ତ କରିନଥିଲେ । ଗତ ଏକ ମାସ ତଳେ ରମେଶଙ୍କ ସ୍ତ୍ରୀ ସଂଯୁକ୍ତା ଓ ପୁଅ କମଳ ଚାନ୍ଦୋଳ ଫାଣ୍ଡିକୁ ଏ ବିଷୟରେ ବୁଝିବାକୁ ଯାଇଥିବା ବେଳେ ଫାଣ୍ଡି ଅଧିକାରୀ ଉଭୟଙ୍କୁ 15000 ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଛି ।
ଅନ୍ୟପଟେ ଟଙ୍କା ଦେବାକୁ ମନା କରିବାରୁ ଫାଣ୍ଡି ଅଧିକାରୀ ମାଆ ଓ ପୁଅଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଚାନ୍ଦୋଳ ଫାଣ୍ଡି ଅଧିକାରୀଙ୍କ ନାମରେ ଗତ ମାସରେ ସଂଯୁକ୍ତା କେନ୍ଦ୍ରାପଡ଼ା ସଦର ଥାନା ଓ ଏସପିଙ୍କୁ ଅଭିଯୋଗ କରିବା ସହ ଏତଲା ଦେଇଥିଲେ । କିନ୍ତୁ ଏକ ମାସ ହେବ ଫାଣ୍ଡି ଅଧିକାରୀଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବୁଧବାର ଅଭିଯୋଗକରିଣୀ ସଂଯୁକ୍ତା ରାଉତ ଓ ତାଙ୍କ ସ୍ୱାମୀ ରମେଶ ରାଉତ କେନ୍ଦ୍ରାପଡ଼ା ସଦର ଥାନା ଆଗରେ ଧାରଣା ଦେଇଛନ୍ତି।
ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡା ଡିଏସପିଙ୍କ ବଦଳି ଦାବିରେ ଗଣଧାରଣା
ଏହା ପୂର୍ବରୁ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଗଣଧାରଣା ଦେଇଥିଲେ ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନର ସମସ୍ତ କାର୍ଯ୍ୟକର୍ତ୍ତା । ପୋଲିସ ଅଧିକାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ କାର୍ଯ୍ୟରତ ଥିବା ଅବସ୍ଥାରେ ଜ୍ୟୋତିରଞ୍ଜନ ତିନିଜଣ ସାଧାରଣ ନାଗରିକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାଛଡା ସୂଚନାଧିକାର କର୍ମୀ ଆଳୟ ସାମନ୍ତରାୟଙ୍କୁ ଲୋକ ଲଗାଇ ମାଡ଼ ମାରିବା ନେଇ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏତଲାକୁ ରୁଜୁ କରିନଥିଲା । ଏହାକୁ ବିରୋଧ କରି ଧାରଣା ଦିଆଯାଇଥିଲା।
ଇଟିଭି ଭାରତ, କେନ୍ଦ୍ରାପଡା