କେନ୍ଦ୍ରାପଡ଼ା: ଶେଷ ହେଲା ଡେରାବିଶ ମହୋତ୍ସବ। ଦ୍ୱାଦଶ ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବ ସଫଳତାର ସହ ଶେଷ ହୋଇଛି । ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶଠାରେ ଆୟୋଜିତ ଏହି ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ, ସମ୍ବଲପୁର, ଘୁମୁରା ଏବଂ କାଠି ନାଚ ଦେଖିବାକୁ ମିଳିଥିଲା । ଏହାସହ ଭଳିକି ଭଳି ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ ଦର୍ଶକ।
ମଞ୍ଚରେ ପରିବେଷଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡ଼ାବିତଙ୍କ କଥା ପରିବେଷଣ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ତଥା ଲୋକପ୍ରିୟ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ କଳାକାର। ସନ୍ଧ୍ୟା ହେଲେ ନୃତ୍ୟଗୀତରେ ସତେ ଯେମିତି ମଞ୍ଚ ଦୁଲୁକୁଥିଲା ଡେରାବିଶ ଅଞ୍ଚଳ। ଏହି କାର୍ଯ୍ୟକ୍ରମରେ ଓଲିଉଡ ଏବଂ ଟେଲି ଅଭିନେତା ଅଭିନେତ୍ରୀ ମଧ୍ୟ ଭାଗ ନେଇଥିଲେ । ଡେରାବିଶ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଆସିଥିଲେ। ଗ୍ରାମାଞ୍ଚଳରେ ଏପରି ଏକ ଆୟୋଜନକୁ ନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ଏହା ସାଂସ୍କୃତିକ ଭାବ ବିନିମୟରେ ବେଶ ସହାୟକ ହେଉଛି" ବୋଲି କହିଛନ୍ତି ଆୟୋଜକ । ଏହି ମହୋତ୍ସବକୁ ଆୟୋଜକ କମିଟି ୨ ଦିନ ଘୁଞ୍ଚାଇଥିଲେ।
ସେହିପରି ମହୋତ୍ସବରେ ଜମିଥିଲା ବିଭିନ୍ନ ବଜାର। ବିଭିନ୍ନ ସାମଗ୍ରୀରୁ ପ୍ରାୟ ୨ ଶହରୁ ଅଧିକ ଷ୍ଟଲ ଖୋଲିଥିଲା। ଲୋକେ ନିଜ ମନ ପସନ୍ଦର ଘରକରଣା ସାମଗ୍ରୀ କିଣି ନେଇଥିଲେ । ଖାଲି ସେତିକି ନୁହେଁ, ମହୋତ୍ସବ ପଡ଼ିଆରେ ଲାଗିଥିଲା ଘର ସଜାଇବା ସାମଗ୍ରୀର ସ୍ୱତନ୍ତ୍ର ଷ୍ଟଲ। ସେହିପରି ଖାଦ୍ୟ ଷ୍ଟଲରେ ଲୋକମାନଙ୍କର ଭିଡ଼ ମଧ୍ୟ କିଛି କମ୍ ନଥିଲା । ବିଭିନ୍ନ ପ୍ରକାର ଫାଷ୍ଟଫୁଡ଼ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ମେଳାରେ ଭଲ ବ୍ୟବସାୟ କରି ଲାଭବାନ ହୋଇଥିବା କହିଛନ୍ତି ବ୍ୟବସାୟୀ ।
ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ମହୋତ୍ସବ ଉଦଘାଟିତ, ମନମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ଶୀତୁଆ ସନ୍ଧ୍ୟାରେ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସୁଆଦିଆ ଖାଦ୍ୟର ମଜା ନେଇଥିଲେ ଲୋକେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ଵୟଂସହାୟକ ଗୋଷ୍ଠୀ ମଧ୍ୟ ଡେରାବିଶ ମହୋତ୍ସବରେ ଷ୍ଟଲ ଖୋଲିଥିଲେ। କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ସାଂସ୍କୃତିକ ବିଭାଗର ସହଯୋଗରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ନିରବଚ୍ଛିନ୍ନ ଭାବେ ୧୨ ବର୍ଷରେ ପଦାର୍ପଣ କରିଛି । ତେବେ ଏଥିରେ ଅତିଥି ଭାବେ ଆମନ୍ତ୍ରିତ ହୋଇ ଆସିଥିବା କ୍ରୀଡାବିତ୍ ଦୂତି ଚାନ୍ଦ ମଧ୍ୟ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା