କେନ୍ଦ୍ରାପଡା: କାୟା ମେଲାଇଲାଣି ଡେଙ୍ଗୁ ଜ୍ବର । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ଏବେ ଭୟର ବାତାବରଣ ସାଧାରଣ ଲୋକଙ୍କ ମନରେ ସୃଷ୍ଟି କଲାଣି । ପ୍ରଥମେ ସହର ଆଉ ଏବେ ଗାଁରେ ଏବେ ଡେଙ୍ଗୁ ଆତଙ୍କ । ରାଜ୍ୟରେ ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭଳି ଲାଗୁଥିବା ବେଳେ ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିବା ଫଳରେ ନାନାଦି ସମସ୍ୟା ଉପୁଜିଛି । ଜମି ରହୁଥିବା ପାଣିରେ ଡେଙ୍ଗୁ ଜ୍ଵରର ମଶା ବଂଶ ବୃଦ୍ଧି ହେଉଥିବା ବେଳେ ଜିଲ୍ଲାର ଉପାନ୍ତ ଅଞ୍ଚଳ ରାଜନଗର ବ୍ଲକ ଶିଳପୋଖରୀର ଦୁରାବସ୍ଥା କହିଲେ ନସରେ । ଏହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ସମସ୍ତ ମଇଳା ପାଣି ନିର୍ଗତ ହୋଇ ଜମି ରହୁଥିବା ପାଣିରେ ମିଶିବାରୁ ସୁଧାଂଶୁ ମଣ୍ଡଳ ନାମକ ବ୍ୟକ୍ତିଙ୍କ ଘରେ ପଶୁଛି ।
ବିଦ୍ୟାଳୟ ଓ ଉକ୍ତ ବ୍ୟକ୍ତିଙ୍କ ଘରେ ଲଗାଣ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ରହିଥିବା କାରଣରୁ ସାପ ଭୟ ଦ୍ବିଗୁଣିତ ହେବା ସଙ୍ଗେସଙ୍ଗେ ମଶାଙ୍କ ଯୋଗୁଁ ପରିବାରର ଏକାଧିକ ସଦସ୍ୟ ଏବେ ଜ୍ବରରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି । ତେବେ ଲଗାଣ ବର୍ଷା ଓ ପାଣି ଜମି ରହିବାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିଥିବା ବେଳେ ସୁଧାଂଶୁଙ୍କ ପରିବାର କଥା ଶୁଣିବାକୁ କେହି ନାହାନ୍ତି । ଯେଉଁଥି ପାଇଁ ସୁଧାଂଶୁ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ, ସଚେତନ ପାଇଁ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ
ପୂର୍ବରୁ ଆଳି ଅଞ୍ଚଳରେ ଏଭଳି ଡେଙ୍ଗୁ ରୋଗ ବ୍ୟାପି ୧୦ରୁ ଊର୍ଦ୍ଧ୍ବ ଚିକିତ୍ସିତ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଥିଲା । ତେବେ ଗତ ଏପ୍ରିଲ ମାସରୁ ଅଦ୍ୟାବଧି ୧୦୭ଜଣ ଡେଙ୍ଗୁ ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ସଚେତନତା ଆଉ ପରିଷ୍କାର ପରିଚ୍ଛନ୍ନତା ହିଁ ଡେଙ୍ଗୁର ମୁକାବିଲା କହି ନିଜ କର୍ତ୍ତବ୍ୟ ସାରି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ମିର୍ଜା ବାବର ବେଗଙ୍କ ସହ ଯୋଗାଯୋଗ କରିବାରୁ ସେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିବା କହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦% ଲୋକେ ଜିଲ୍ଲା ବାହାରେ ରହି ଆକ୍ରାନ୍ତ ହୋଇଛନ୍ତି । ମାତ୍ର ୪୦% ଆକ୍ରାନ୍ତ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ଆକ୍ରାନ୍ତ ସୁସ୍ଥ ହୋଇଥିବା କହିଛନ୍ତି । ଅନ୍ୟପଟେ ଜିଲ୍ଲାରେ କେନ୍ଦ୍ରାପଡ଼ା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯, ଡେରାବିଶ୍ ବ୍ଲକରେ ୧୦, ମହାକାଳପଡ଼ା ବ୍ଲକରେ ୨୭, ପଟ୍ଟାମୁଣ୍ଡାଇ, ଗରଦପୁର, ରାଜନଗର, ମାର୍ଶାଘାଇ ବ୍ଳକରେ ଆକ୍ରାନ୍ତଙ୍କ ସଂଖ୍ୟା ୪, ରାଜକନିକା ବ୍ଲକରେ ଜଣେ ରହିଥିବା ବେଳେ ଆଳି ବ୍ଳକରେ ୧୦ରୁ ଉର୍ଦ୍ଧ୍ବ ରହିଛି । ଯାହାକୁ ନେଇ ସ୍ଥିତି ଏବେ ସଙ୍ଗୀନ ରହିଥିବା ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସହରବାସୀଙ୍କ ମନରେ ଛନକା ଭରିଲାଣି ।
ଇଟଭି ଭାରତ, କେନ୍ଦ୍ରାପଡା