କେନ୍ଦ୍ରାପଡ଼ା: ଶେଷ ହୋଇଛି ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରାର ପ୍ରଥମ ଦିନ । ପ୍ରଥମ ଦିନରେ ମହାପ୍ରଭୁ ବିରାଜିତ ବ୍ରହ୍ମ ତାଳଧ୍ଵଜ ରଥ ପାହୁଲେ ଆଗକୁ ଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଟକିବାର ପରମ୍ପରା ରହିଛି । ହେଲେ ପ୍ରଶାସନିକ ଅବହେଳା କାରଣରୁ ପହଣ୍ଡି ନୀତିରେ ବିଳମ୍ବ ହେବାରୁ ଗଡ଼ି ପାରିଲାନି ଶ୍ରୀଜୀଉଙ୍କ ରଥ । ଏ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଧାଡି ପହଣ୍ଡିରେ ବ୍ରହ୍ମ ତାଳଧ୍ଵଜ ରଥକୁ ବିଜେ କରିଛନ୍ତି ମଣିବିଗ୍ରହ ପ୍ରତିମା ମହାପ୍ରଭୁ ବଳଦେବଜୀଉ, ଭଗିନୀ ସୁଭଦ୍ରା, ଜଗତର ନାଥ ଜଗନ୍ନାଥ ଏବଂ ଶ୍ରୀସୁଦର୍ଶନ । ହଟିଆ ଠାକୁର ସାଙ୍ଗରେ ଭାଇ ଭଉଣୀକୁ ନେଇ ରତ୍ନ ସିଂହାସନରୁ ଓହ୍ଲାଇ ଜନ୍ମବେଦୀକୁ ନଅ ଦିନ ଧରି ଯାଉଥିବା ବେଳେ ଆଜି ଶ୍ରୀକ୍ଷେତ୍ରରେ ରଥ ଟଣା ଶେଷ ହୋଇଛି । କିନ୍ତୁ ପରମ୍ପରା ଅନୁଯାୟୀ ବଡଭାଇ ତୁଳସୀକ୍ଷେତ୍ରାଧିପତି ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥକୁ ଚକଡ଼ାରେ ହିଁ ଅଟକି ରହିବାକୁ ପଡିଛି ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ- ଆଜି ପାଇଁ ରଥଟଣା ଶେଷ, ଅଧା ବାଟରେ ଅଟକିଲା ଦର୍ପଦଳନ ଓ ନନ୍ଦିଘୋଷ
ପରମ୍ପରା ଅନୁସାରେ ପୁରୀରେ ରଥ ଟଣା ସରିବା ପରେ ତୁଳସୀକ୍ଷେତ୍ରରେ ବ୍ରହ୍ମ ତାଳଧ୍ଵଜ ରଥକୁ ଟାଣିବା ପାଇଁ ଗଜପତି ପହଞ୍ଚିଥାନ୍ତି । ଅନ୍ୟ ଏକ ବିଶ୍ବାସ ଅନୁଯାୟୀ, ଶ୍ରୀକ୍ଷେତ୍ର ପୁରୀରେ ରଥ ଟାଣିବା ପରେ କେନ୍ଦ୍ରାପଡ଼ା ଇଚ୍ଛାପୁରର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ଟାଣିଲେ କୋଟି ପୁଣ୍ୟ ଫଳ ମିଳିଥାଏ ଯେଉଁଥିପାଇଁ ଏଠାରେ ଶ୍ରୀଗୁଣ୍ଡିଚା 2 ଦିନ ପାଳିତ ହୋଇଥାଏ । ତେବେ ଆଜି ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ସମୟ ଅପରାହ୍ନ ୨ ଘଟିକା ସ୍ଥିର ହୋଇଥିଲେ ମଧ୍ୟ ସେବାୟତମାନେ ମଣି ବିଗ୍ରହଙ୍କୁ ଅପରାହ୍ନ ସାଢେ ୪ ଘଟିକା ସମୟରେ ସେନାପଟା ଲାଗି କରି ଧାଡି ପହଣ୍ଡିରେ ବାସୁକି ନାଗ ପରାୟେ ରଥକୁ ଆଣିଥିଲେ ।
ସନ୍ଧ୍ୟା ୬.୧୫ ମିନିଟ ସମୟରେ ଶ୍ରୀଜିଉମାନେ ରଥାରୁଢ ହୋଇଥିଲେ ହେଁ ଅଶ୍ଵ ଲାଗି, ଛେରା ପହଁରା ନୀତି ସମାପନ ସମୟକୁ ଧରିଲେ ସନ୍ଧ୍ୟା ଅର୍ଥାତ ସୂର୍ଯ୍ୟାସ୍ତ ହୋଇ ଯାଇଥିବାରୁ ରଥ ଟାଣିବା ପରମ୍ପରା ବିରୁଦ୍ଧ ବୋଲି କୁହନ୍ତି ସେବାୟତ । ଅନ୍ୟପଟେ ଶ୍ରୀଜୀଉଙ୍କ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ରଥ ଟଣାଯିବ ବୋଲି ପ୍ରଶାସନ ଜିଦ ଧରି ବସିଛି । ଏଠାରେ ସୂଚନା ଥାଉ କି ଗତବର୍ଷ ସାମାନ୍ୟ ତ୍ରୁଟି କାରଣରୁ ବ୍ରହ୍ମ ତାଳଧ୍ଵଜ ରଥ ମାଉସୀ ଗୁଣ୍ଡିଚା ମନ୍ଦିରର ଚକଡ଼ା ଲାଗିବା ପାଇଁ 4 ଦିନ ସମୟ ଲାଗିଥିବା ବେଳେ ଚଳିତବର୍ଷ କଣ ହେଉଛି ତାହା ସମୟ କହିବ।
ଇଟିଭି ଭାରତ, କେନ୍ଦ୍ରାପଡ଼ା