କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରେ ଯୁବକ । ନଦୀରେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ ଚନ୍ଦନ । ବହୁତ ଖୋଜାଖୋଜି ପରେ 2 ଦିନ ପରେ ଫେରିଥିଲା ଚନ୍ଦନଙ୍କ ଖଣ୍ଡ ବିଖଣ୍ଡିତ ଶରୀର । ଚନ୍ଦନକୁ ଟାଣିନେଇଥିଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗାଁର ବ୍ରାହ୍ମଣୀ ନଦୀରେ ।
ସୂଚନା ଅନୁସାରେ ଗତ ରବିବାର ସନ୍ଧ୍ୟାରେ ନୀଳକଣ୍ଠପୁର ଗାଁର ଚନ୍ଦନ ଦେ ନାମକ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ନିଖୋଜ ଥିଲେ। ଗତକାଲି ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ବହୁତ ଖୋଜାଖୋଜି କରିଥିଲେ । ହେଲେ ଉକ୍ତ ନଦୀରେ ଚନ୍ଦନଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ମଙ୍ଗଳବାର ଚନ୍ଦନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବ୍ରାହ୍ମଣୀ ନଦୀର ଆଗଡ଼ିଆ ପଠାରେ ଭାସୁଥିବା ନଜର ଆସିଥିଲା ।
ସେଠାରୁ ଉକ୍ତ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏଠାରେ ଚନ୍ଦନଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ଶରୀରର ୫୦ ପ୍ରତିଶତ କୁମ୍ଭୀର ଖାଇଯାଇଥିବା ଦେଖିବାକୁ ମିଳିଛି । ନଦୀରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ଏବଂ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନବିଭାଗର ନିଷ୍କ୍ରିୟତା ପଦାରେ ପଡିଛି। ତୁରନ୍ତ ଚନ୍ଦନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ