କେନ୍ଦ୍ରାପଡ଼ା: ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେରୁ ଉର୍ଦ୍ଧ୍ବ ସମୟ ବିତିଲାଣି। ଆଉ 1 ମାସ 2 ଦିନ ପରେ ଚିହ୍ନଟ ହୋଇଛି ଜଣେ ବ୍ୟକ୍ତିଙ୍କ ମୃତଦେହ। ମୃତକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଏଣ୍ଡୁଳାପୁର ଗାଁର ପୁରୁଷୋତ୍ତମ ମହାନ୍ତି। ପୁରୁଷୋତ୍ତମଙ୍କ ମୃତଦେହକୁ ଚିହ୍ନଟ କରାଯାଇ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗତ ଜୁନ ୨ତାରିଖ ଦିନ ବାଲେଶ୍ଵର ଜିଲ୍ଲା ବାହାନଗାଠାରେ ଘଟିଥିବା ସିରିଜ ଟ୍ରେନ ଦୁର୍ଘଟଣା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସରେ ପୁରୁଷୋତ୍ତମ ଭଦ୍ରକ ଷ୍ଟେସନରୁ କଲିକତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ହେଲେ ଦୁର୍ଘଟଣା ପରଠାରୁ ଆଉ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ଦୁର୍ଘଟଣା ପରେ ପରିବାରଲୋକେ ବାଲେଶ୍ଵର ମେଡିକାଲ, କଟକ ବଡ଼ ମେଡିକାଲ, ଏମ୍ସ ହସ୍ପିଟାଲ ଓ କଲିକତାର ବିଭିନ୍ନ ହସ୍ପିଟାଲରେ ନିଖୋଜ ପୁରୁଷୋତ୍ତମଙ୍କୁ ଖୋଜିଥିଲେ ସୁଦ୍ଧା ତାଙ୍କୁ ପାଇବାରେ ବିଫଳ ହୋଇଥିଲେ।
ପରିବାର ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ପୁରୁଷୋତ୍ତମଙ୍କ ବାପା ଭୁବନେଶ୍ୱର ଏମ୍ସରେ ପୁଅର ସନ୍ଧାନ ପାଇବା ପାଇଁ ଡ଼ିଏନଏ ଟେଷ୍ଟ ପାଇଁ ରକ୍ତ ନମୁନା ଦେଇଥିଲେ। ଏହା ପରେ ଡିଏନଏ ସାମ୍ପୁଲ ଦିଲ୍ଲୀକୁ ପଠାଯାଇଥିଲା। ତେବେ ଡ଼ିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ବୁଧବାର ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଏହା ମଧ୍ୟ ପଢନ୍ତୁ...କଟକ ଡ୍ରାଇଭର ହତ୍ୟା ଘଟଣା, 2 ଅଭିଯୁକ୍ତ ଗିରଫ
ତେବେ ପୁରୁଷୋତ୍ତମଙ୍କ ମୃତ୍ୟୁକୁ ଏହାରି ଭିତରେ ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଛି। ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ସଦସ୍ୟଙ୍କ କାନ୍ଦବୋବାଳି ମଧ୍ୟରେ ସମଗ୍ର ଅଞ୍ଚଳ ଫାଟି ପଡିଥିଲା। ପୁରୁଷୋତ୍ତମଙ୍କ ମୃତଦେହ ମିଳିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ପୁରୁଷୋତ୍ତମ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଅପରପକ୍ଷେ, ବାଲେଶ୍ବର ବାହାନଗାର ଛାତିଥରା ଟ୍ରେନ ଦୁର୍ଘଟଣା ପରେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇପାରିନାହିଁ । ଆଉ କେତେକ ମୃତଦେହର ଏକାଧିକ ଦାବିଦାର ରହିଥିବା କାରଣରୁ ପରିବାର ଲୋକଙ୍କ ଡିଏନଏ ଟେଷ୍ଟ କରାଯାଇ ରିପୋର୍ଟ ଆଧାରରେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ସେପଟେ କେତେକ ଆହତଙ୍କ ଚିକିତ୍ସା ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାଲିଥିବାବେଳେ ଆଉ କେତେ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।
ଇଟିଭି ଭାରତ, କେନ୍ଦ୍ରାପଡ଼ା