କେନ୍ଦ୍ରାପଡ଼ା: ମତଦାନରୁ ବିରତ ରହିଲେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓ ରାଜ ପରିବାର । ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ଆଳି ବ୍ଲକର ଦେମାଳ ପଞ୍ଚାୟତରେ ମତଦାନ ହେଉଥିଲା । ତେବେ ଉପସ୍ଥିତ ଥିବା ସତ୍ତ୍ବେ ଭୋଟ ଦେବାକୁ ଆସିନଥିଲେ ବିଜେଡିର ହେବିୱେଟ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ ।
![controversy rumors in aul bjd mla pratap dev did not cast his vote](https://etvbharatimages.akamaized.net/etvbharat/prod-images/od-kpr-06-mlacouldntcastvote-aul-7204459_16022022154906_1602f_1645006746_717.jpg)
ବିଧାୟକ ଭୋଟ ଦେବାକୁ ନଆସିବା ସାଧାରଣ ଲୋକଙ୍କ ମତଦାନକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ଆଳି ଦେମାଳ ପଞ୍ଚାୟତ ୧୬ ନମ୍ବର ବୁଥ୍ର କ୍ରମିକ ନମ୍ବର ୩ରେ ନାମ ଥାଇ ପୂର୍ବରୁ ଅନେକ ଥର ବିଧାୟକ ପ୍ରତାପ ଦେବ ମତ ସାବ୍ୟସ୍ତ କରି ଆସୁଥିଲେ । ଆଳି ବ୍ଲକରେ ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ବିଧାୟକ ଚଳିତ ନିର୍ବାଚନରେ ମତ ସାବ୍ୟସ୍ତ ନକରିଥିବା ଚର୍ଚ୍ଚା ହେଉଛି ।
ଏହି ପଞ୍ଚାୟତ ୪ ନମ୍ବର ସଦର ଜୋନ ଅଧିନରେ ଆସୁଥିବା ବେଳେ ଏଠାରୁ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ଭାବେ ଜୟରାମ ସାହୁଙ୍କୁ ପ୍ରାର୍ଥୀ କରିଥିଲେ ପ୍ରତାପ । ଅନ୍ୟପଟେ ଟିକେଟ ଦେଇ ଜଣେ ଦଳୀୟ ପ୍ରାର୍ଥୀ ସପକ୍ଷରେ ଭୋଟ ନଦେବା ରାଜନୈତିକ ଦୃଷ୍ଟିକୋଣର ବିଭିନ୍ନ ଦିଗକୁ ସୂଚାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ