କେନ୍ଦ୍ରାପଡା: ଜନ୍ମରୁ ମୃତ୍ୟୁ ଯାଏଁ ମାଳମାଳ ଯୋଜନା । ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ନିର୍ବାଚନ ଆସିଲେ ଛିଡା ହେଉଛି ପ୍ରତିଶ୍ରୁତିର ବଡ ବଡ ପାହାଡ । ବଞ୍ଚିଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର କେତେ ଲାଭ ମିଳୁଛି, ତାର ହିସାବ ରଖିବା ତ ଦୂରର କଥା ହେଲେ ମରିବା ପରେ ବି ମଶାଣି ଯାଏଁ ଭଲରେ ପହଞ୍ଚିପାରୁନି ମୃତଦେହ ।
ବାଉଁଶ ଭାରକୁ ବେଡ଼ସିଟ ଖଣ୍ଡିଏ । ବାସ୍ ମୃତ ଦେହକୁ ଏତିକି ସାହା । ଇଏ କୌଣସି ଉପାନ୍ତ ଇଲାକାର ଦୃଶ୍ୟ ନୁହେଁ, ଉପକୂଳବର୍ତ୍ତୀ ଜିଲ୍ଲାର ସର୍ବାଧିକ ବିକଶିତ କୁହାଯାଉଥିବା ମହାକାଳପଡ଼ା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । କେବେ ଖଟିଆରେ ତ ଆଉ କେବେ ବାଇକରେ ମୃତଦେହ ବୁହା ହେଉଥିବା ଦୃଶ୍ୟ ଦେଖିଥିବେ । ହେଲେ ମନରେ ପ୍ରଶ୍ନ ଉଠୁଛି ଯେ ଚିରାଚରିତ ଭାବରେ ଏଭଳି ଘଟଣା ଘଟିଆସୁଥିବାବେଳେ ମହାକାଳପଡାର ଏ ଖବର କଣ ପାଇଁ ଗୁରୁତ୍ବପୂର୍ଣ୍ଣ ? ହଁ, ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବରେ ରହିଛି ମହାକାଳପଡା ।
ମହାକାଳପଡା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଶବରପଡା ଜଙ୍ଗଲଘେରି ଗାଁ । ପ୍ରାୟ ୫ ଦିନ ପୂର୍ବରୁ ଏହି ଗାଁର 55 ବର୍ଷୀୟ ନରୋତ୍ତମ ନାୟକ ପକ୍ଷାଘାତ ରୋଗରେ ପୀଡିତ ହୋଇ କଟକ ବଡ ଡାକ୍ତରଖାନାରେ ହେଉଥିଲେ ଚିକିତ୍ସିତ । ଚିକିତ୍ସାଧୀନ ଅବସ୍ଥାରେ ନରୋତ୍ତମଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଘରକୁ ଆଣିବା ପାଇଁ କରିଥିଲେ ବ୍ୟବସ୍ଥା । ହେଲେ ଜଙ୍ଗଲଘେରି ଗାଁକୁ ନିତିଦିନିଆ ଯାତାୟତ ପାଇଁ ରାସ୍ତାଟିଏ ନଥିବାରୁ ମୃତ ଦେହକୁ ମିଳିପାରିନଥିଲା ସମ୍ମାନ । ବର୍ଷାଦିନ ହୋଇଥିବାରୁ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଗାଁ ମଧ୍ୟକୁ ପ୍ରବେଶ କରିବା ହୋଇପଡିଥିଲା କାଠିକର ପାଠ। ମୃତଦେହକୁ ଆଣି ଆସିଥିବା ଆମ୍ବୁଲାନ୍ସଟି ପଶିପାରିନଥିଲା ଗାଁ ଭିତରକୁ । ଆଉ ସେଇଠାରେ ହିଁ ନରୋତ୍ତମଙ୍କ ମୃତଦେହକୁ ଆମ୍ବୁଲାନ୍ସରୁ ଓହ୍ଲାଇ ଦିଆଯାଇଥିଲା । ବାଧ୍ୟହୋଇ ପରିବାର ଲୋକେ ଏକ ବେଡ଼ସିଟ ଦ୍ବାରା ମୃତଦେହ ବାନ୍ଧି ବାଉଁଶ ଭାର ସାହାଯ୍ୟରେ ଘର ପର୍ଯ୍ୟନ୍ତ ବୋହି ନେଇଥିଲେ ।
ମହାକାଳପଡାର ଏହି ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଚିହ୍ନ ନାଁ ବାଟବଣା ଯୋଜନାର ନଗ୍ନ ଚିତ୍ର, ତାର ବିଚାର ଜନସାଧାରଣର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ