କେନ୍ଦ୍ରାପଡା: ମହାକାଳପଡା ସୁକିତଲା ମାଦିଲି ଭଙ୍ଗା ମୁହାଁଣରେ ଓଲଟିଲା ଡଙ୍ଗା । ଫଳରେ ଜଣେ ନିଖୋଜ ଥିବାବେଳେ 3 ଜଣ ଉଦ୍ଧାର ହୋଇଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଡଙ୍ଗା ମାଲିକ ତପନ ଦାସ ।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ 12ଟା ସମୟରୁ ଦକ୍ଷିଣ ଜମ୍ବୁ ଘାଟରୁ ଚାରିଜଣ ମତ୍ସ୍ୟଜୀବୀ ହୁକିଟୋଲାକୁ ମାଛ ଧରିବାକୁ ଯାଇଥିଲେ । ସନ୍ଧ୍ୟା ସମୟରେ ଫେରିଲା ବେଳେ ଜୁଆର ଆସି ଡଙ୍ଗାରେ ମାଡ଼ ହେବାରୁ ମାଛଧରା ଡଙ୍ଗାଟି ଓଲଟି ପଡିଥିଲା ।
ତେବେ ଡ଼ଙ୍ଗାରେ ଥିବା ବିଶ୍ବନାଥ ଘରାମୀ, ପ୍ରହ୍ଲାଦ ଦାସ ଓ ଗୌତମ ଦାସ ଉଦ୍ଧାର ହୋଇଥିବା ବେଳେ ତପନ ନିଖୋଜ ହୋଇଯାଇଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଜମ୍ବୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ହେଲେ ଅଭିଯୋଗ ପରେ ବି ଘଟଣାସ୍ଥଳକୁ ପୋଲିସ କିମ୍ବା କୌଣସି ଅଧିକାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ