ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲୋକସଭାରେ ଦାବି ଉଠାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସ୍ବାଧୀନତାର ଦୀର୍ଘବର୍ଷ ପରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳ ସଂଯୋଗ ନଥିବା ବେଳେ ଗତବର୍ଷ ଅଗଷ୍ଟ ୧୨ରେ ଜିଲ୍ଲା ମଧ୍ୟଦେଇ ହରିଦାସପୁର-ପାରାଦ୍ୱୀପ ରେଳପଥରେ ପ୍ରଥମେ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା ।
ପ୍ରତ୍ୟେକ ଦିନ କେନ୍ଦ୍ରାପଡ଼ା ମଧ୍ୟ ଦେଇ ମାଲବାହୀ ଟ୍ରେନ ଚଳାଚଳ କରୁଛି । ଅନ୍ୟପକ୍ଷେ ବାରମ୍ବାର ଆପତ୍ତି ଅଭିଯୋଗ ପରେ ମଧ୍ୟ ଯାତ୍ରୀବାହୀ ଟ୍ରେନ ଜିଲ୍ଲାକୁ ଚଳା ନଯିବା ଯୋଗୁଁ ଜନ ଅସନ୍ତୋଷ ଦେଖାଦେଇଛି । ଚଳିତବର୍ଷ ବଜେଟ ଅଧିବେଶନ ସମୟରେ ସାଂସଦ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରିଥିଲେ।
ରେଳ ମନ୍ତ୍ରଣାଳୟ ପକ୍ଷରୁ 'କେନ୍ଦ୍ରାପଡ଼ା ରୋଡ଼' କଟକ ରେଳଷ୍ଟେସନଠାରୁ ମାତ୍ର ୫କିଲୋମିଟର ଦୂର ବୋଲି ଉତ୍ତର ଦିଆଯାଇଛି । କେନ୍ଦ୍ରାପଡ଼ା ରୋଡ଼ କଟକ ଜିଲ୍ଲାର ଜଗତପୁର ନିକଟରେ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଦୂରତା ଏଠାରୁ ପ୍ରାୟ ୧୦୦ କିଲୋମିଟରରୁ ଅଧିକ ହେବ । ତେଣୁ ଜିଲ୍ଲାର ଯୁବବର୍ଗଙ୍କୁ ନିଯୁକ୍ତି ଦେବା,ରାଜସ୍ୱ ଆୟ ଓ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ନେଇ ଲୋକସଭାରେ ଦାବି ଉପସ୍ଥାପନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ