କେନ୍ଦ୍ରାପଡା: ରାଜନଗରରେ ଭିନ୍ନ ପରମ୍ପରା । ନଦୀ ମଝିରେ ମା'ଙ୍କୁ ମେଲାଣି ଦେଉଛନ୍ତି ରାଜନଗରବାସୀ । ସମଗ୍ର ରାଜ୍ୟରେ ଚାଲିଛି ଜଗତଜନନୀ ମା' ଦୁର୍ଗାଙ୍କ ଭସାଣ ଉତ୍ସବ । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ନିଆରା ଢଙ୍ଗରେ ବିଦାୟ ନିଅନ୍ତି ମାଆ । ରାଜାରାଜୁଡା ଶାସନ ସମୟରୁ ପ୍ରଚଳିତ ପରମ୍ପରାକୁ ସାମ୍ମାନ ଜଣାଇ ବିଜୟା ଦଶମୀ ପରଦିନ ନିଆରା ଢଙ୍ଗରେ ଦୁର୍ଗତିନାଶିନୀଙ୍କର ହଂସୁଆ ନଦୀରେ ଚାପ ଖେଳ ବିଧି କରାଯିବା ବିସର୍ଜନ କରାଯାଇଥାଏ । ଏହାକୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ସାମାଗମ ହୋଇଥାଏ ।
ରାଜନଗର ବଜାରରେ ପ୍ରତ୍ୟେକ ବର୍ଷ ୨୮ଟି ପୂଜା ମଣ୍ଡପରେ ମାଆ ପୂଜା ପାଇଥାନ୍ତି । ୨୮ଟି ମେଢ଼ରୁ ୪ଟି ମେଢ଼କୁ ହଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଚାପ ଡଙ୍ଗାରେ ବିଜେ କରି ନୌକା ବିହାର କରାଇ ବିସର୍ଜନ କରାଇଥିଲେ । ଏପରି ଏକ ନିଆରା ଭସାଣି ଦୀର୍ଘ ଦୁଇଶହ ବର୍ଷ ପୁରୁଣା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା । ତତ୍କାଳୀନ କନିକା ରାଜା ଭୁଜବଳ ଭଞ୍ଜଦେଓଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମେଳଣକୁ ସ୍ଥାନୀୟ ଲୋକେ କନିକା ରାଜା ଓ ରାଜ ପରିବାରକୁ ସାମ୍ନାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଛନ୍ତି ।
ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ମାଙ୍କର ପୂଜା ଆରମ୍ଭ ହୋଇଥିଲା । ରାଜାଙ୍କ ରାଜତ୍ୱ ସମୟରେ ରାଜନଗରରେ ଗମନାଗମନର ସୁବିଧା ସ୍ଥଳ ପଥରେ ନଥିବାରୁ କନିକା ରାଜା ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ହଂସୁଆ ନଦୀରେ ଡଙ୍ଗାରେ ମାଆଙ୍କୁ ସାତ ଥର ନାଵକେଳି କରି ହଂସୁଆ ନଦୀରେ ବିସର୍ଜନ କରୁଥିଲେ। ଯଦିଓ ରାଜା ରାଜୁଡା ଅମଳ ଆଉ ନାହିଁ ତଥାପି ସ୍ଥାନୀୟ ଲୋକେ ରାଜାଙ୍କ ଦ୍ଵାରା ପ୍ରଚଳିତ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଇ ପରମ୍ପରାକୁ ଜିବୀତ ରଖିଛନ୍ତି ।
ଏହା ବି ପଢନ୍ତୁ...ଭସାଣିର ପରଦିନ ଫିରିଙ୍ଗି ବଜାର ପୂଜା ମଣ୍ଡପରୁ ମେଲାଣି ନିଅନ୍ତି ମାଆ, ଜାଣନ୍ତୁ କାରଣ
ପୂର୍ବରୁ କେବଳ ମେଢ଼ ଥାନପତି ଦୁର୍ଗା ଯାହାକି ରାଜା ଭୁଜବଳ ଭଞ୍ଜଦେବଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ସେହି ମେଢ଼ ନାଵକେଳି କରି ହଂସୁଆ ନଦୀରେ ବିସର୍ଜନ କରାଯାଉଥିଲା । ପ୍ରାୟ ଦୁଇ ଦଶନ୍ଦି ହେବ ପ୍ରତିବର୍ଷ ଥାନପତି ଦୁର୍ଗା ମେଢ଼ ସହ ସାରଳା ମେଢ଼, ଗଙ୍ଗାମାତା ଓ ବନଦୁର୍ଗା ଏହି ମେଳଣରେ ସାମିଲ ହୋଇଥାନ୍ତି । ହଂସୁଆ ନଦୀରେ ୭ଘେରା ନାଵକେଳିକରି ଏକ ସଙ୍ଗେ ବୁଲିବା ପରେ ବିସର୍ଜନ ହୋଇଥାନ୍ତି । ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଗୋପାଳ ଜାତିର ପୁରୁଷମାନେ ଏହି ୪ଟି ମେଢ଼କୁ ପୂଜା ମଣ୍ଡପରୁ କାନ୍ଧେଇ ଆଣିଥାନ୍ତି ହଂସୁଆ ନଦୀ ପାଖକୁ ।
ଏହାପରେ ଡଙ୍ଗାରେ ନାବକେଳି କରିବା ପରେ ମା'ଙ୍କୁ ବିଦାୟ ଦିଆଯାଏ । ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମେଲଣରେ ସାମିଲ ହୋଇଥାନ୍ତି । ୪ଟି ମେଢ଼ ନଦୀ ମଝିରେ ନୌକା ବିହାର କରିବା ସହ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଡଙ୍ଗାରେ ନାଚିବା ବେଶ ମନୋରମ ହୋଇଥାଏ । ତେବେ ଦୁଇ ବର୍ଷ ପରେ ପୁଣି ଥରେ ନଦୀରେ ମେଲଣ ଅନୁଷ୍ଠିତ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ନଦୀରେ କୌଣସି ଅଘଟଣ ଯେପରି ନ ହୁଏ ସେଥି ପ୍ରତି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଇଟିଭ ଭାରତ, କେନ୍ଦ୍ରାପଡା