କେନ୍ଦ୍ରାପଡ଼ା: ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ବାଲିପାଟଣା ଗ୍ରାମରେ । ଅଭିଯୋଗ ଅନୁଯାୟୀ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁର ନିମାଇଁ ବାଇଙ୍କ ପୁଅ ଦେବାଶିଷ ବାଇ ସେହି ଗାଁର ଦୀପିକାଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ । ବିବାହ ପରେ ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ଦେବାଶିଷ ଦୀପିକାଙ୍କ ଚରିତ୍ରକୁ ସନ୍ଦେହ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିଲେ ।
ଦେବାଶିଷଙ୍କ ମା’ ତଥା ଦୀପିକାଙ୍କ ଶାଶୁ ଶ୍ରୀମତୀ ବାଇ ପୁଅ ଦେବାଶିଷର ବୋହୂ ପ୍ରତି ଏଭଳି ନିର୍ଯାତନାକୁ ବିରୋଧ କରିବାରୁ ଦେବାଶିଷ ନିଜ ମା'ଙ୍କୁ ମଧ୍ୟ ମାଡ଼ ମାରୁଥିଲା ବୋଲି ଅଭିଯୋଗ ହୋଇଛି । ତେବେ ଗତକାଲି(ବୁଧବାର) କୌଶଳ କ୍ରମେ ଦୀପିକାଙ୍କୁ ହତ୍ୟା କରି ପଙ୍ଖାରେ ଝୁଲାଇ ଦେଇଥିବା ଆଜି ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୀପିକାଙ୍କ ଶାଶୁ ଶ୍ରୀମତୀ ।
ଏହି ହତ୍ୟାକାଣ୍ଡରେ ପୁଅ ଦେବାଶିଷ, ନିଜ ସ୍ବାମୀ ନିମାଇଁ, ପଡୋଶୀ ସୋନାଲି ଏବଂ କ୍ଷୀରୋଦ ବାଇଙ୍କ ସମ୍ପୃକ୍ତି ଥିବା ନେଇ ଥାନାରେ ଏତଲା ଦେଇଛନ୍ତି ଶ୍ରୀମତୀ । ଦୀପିକାଙ୍କ ମୃତ୍ୟୁକୁ ନେଇ ସମଗ୍ର ଗାଁରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ