କେନ୍ଦ୍ରାପଡା: ଅଗଷ୍ଟ ମାସରେ ଲଗାଣ ବର୍ଷା ଓ ପରେ ବନ୍ୟାର ବିଭୀଷିକାକୁ ଭୁଲିନାହାନ୍ତି କେନ୍ଦ୍ରାପଡାର ଚାଷୀ । ଏବେ ଆଗକୁ ଲଘୁଚାପର ଆଉ ଏକ ସୂଚନା । ଲଘୁଚାପ ନେଇ ଖବର ପାଇବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି। ବର୍ଷା ଓ ବନ୍ୟା ଦାଉରୁ ରକ୍ଷା ପାଇଯାଇଥିବା ଧାନଚାଷ ସମ୍ପୂର୍ଣ୍ଣ ଧୋଇଯିବାର ଆଶଙ୍କାରେ ଆତଙ୍କିତ ଚାଷୀକୂଳ ।
ଏବେ କ୍ଷେତରେ ହସୁଛି ସବୁଜିମା । ପବନରେ ଲହରୀ ଭାଙ୍ଗୁଛି ଛନଛନିଆ ଧାନଗଛ । ଲଗାଣ ବର୍ଷା ଓ ବନ୍ୟା ପରେ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଚାଷଜମିର ଦୃଶ୍ୟ । ବନ୍ୟାର ବିଭୀଷିକାରୁ ରକ୍ଷା ପାଇଯାଇଥିବା ଧାନଫସଲ ଏବେ ଚାଷୀ ମନରେ ବୁଣି ଦେଇଛି ନୂଆ ସ୍ବପ୍ନ ଓ ସମ୍ଭାବନା । କିନ୍ତୁ ସେହି ସ୍ବପ୍ନକୁ ଉଜାଡିବାକୁ ଘନୀଭୂତ ହେଲାଣି ଆଉ ଏକ ଲଘୁଚାପ । ଏହି ଲଘୁଚାପର ପଦଧ୍ଵନି ଶୁଣି ବର୍ତ୍ତମାନ ଚାଷୀର ସମସ୍ତ ଆଶା ଦୋହଲି ଯାଇଛି । କାରଣ ଗତ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଲଗାଣ ବର୍ଷା ପରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା । ଏହା ପରେପରେ ଆସିଗଲା ପ୍ରଳୟଙ୍କରୀ ବନ୍ୟା । ଚାଷୀର ସବୁ ଶ୍ରମ ପାଣିରେ ଧୋଇଯାଇଥିଲା । ଚାଷୀ ଟିକେ ଅଣ୍ଟା ସଳଖେଇବାକୁ ଚେଷ୍ଟା କରୁଥିବା ବେଳେ ପୁଣି ଏକ ଲଘୁଚାପ ଚାଷୀକୁ ଚିନ୍ତାରେ ପକାଇ ଦେଇଛି ।
ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବନ୍ୟା ଓ ବାତ୍ୟା କେନ୍ଦ୍ରାପଡା ଜିଲ୍ଲାର ଚିରସହଚର । ଏହାଦ୍ବାରା ଚାଷ ଓ ଚାଷୀ ଭୟଙ୍କର ଭାବେ ପ୍ରଭାବିତ ହୋଇଥାଆନ୍ତି । ଅନ୍ୟପକ୍ଷରେ ଧାନଚାଷ ଜିଲ୍ଲାର ଏକମାତ୍ର ଅର୍ଥକାରୀ ଫସଲ ହୋଇଥିବାରୁ ଚାଷୀ ଧାନଚାଷ ପାଇଁ ବିଶେଷ ଯତ୍ନବାନ ହୋଇଥାଏ ।ଏକର ପିଛା ପ୍ରାୟ ୨୨ ରୁ ୨୫ କିଲୋ ଧାନ ବିହନ ବ୍ୟବହାର ହୋଇଥାଏ। ତଳି ଉପାଡିବା, ରୋଇବା, ଧାନ ବିଲ ହଳ କରିବା ପ୍ରଭୃତି ବାବଦକୁ ପ୍ରାୟ ଅଢେଇ ରୁ ୩ ହଜାର ଟଙ୍କା ଶ୍ରମିକ ମଜୁରି ପଡିଥାଏ। ସେହିପରି ୫୦ କିଲୋ ସାର ଏବଂ ଆବଶ୍ୟକ ସ୍ଥଳେ କୀଟନାଶକ ବ୍ୟବହାର ହୋଇଥାଏ। ଏମିତିରେ ଏକର ପିଛା ଜଣେ ଚାଷୀ ପ୍ରାୟ ୫ ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥାଏ । କିନ୍ତୁ ଶେଷରେ ପ୍ରାକୃତିକ ଦୁର୍ବିପାକ ଚାଷୀ ର ଭାତହାଣ୍ଡି ଉଜାଡ଼ି ଦେଇଯାଏ ।
ଗତ ଲଗାଣ ବର୍ଷା ଯୋଗୁଁ ଚାଷଜମିରେ କଇଁଫୁଲ ଫୁଟିଥିବା ବେଳେ ଆଗାମୀ ବର୍ଷା ଚାଷୀର ମେରୁଦଣ୍ଡ ଉପରେ ଯେ ବଡ଼ ପ୍ରହାର ହେବ ଏକଥାରେ ସନ୍ଦେହ ନାହିଁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ