କେନ୍ଦ୍ରାପଡା: ନା ବାଜିଲା ବାଜା ନା ଫୁଟିଲା ବାଣ, ନା ଦେଖିବାକୁ ମିଳିଲା ବରଯାତ୍ରୀ ନା ଭୋଜିଭାତ । ଅଗ୍ନି ଦେବତା ଓ ମା ଦକ୍ଷିଣ ଶ୍ୟାମାକାଳୀଙ୍କୁ ସାଖିରଖି ସାତଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଅପୁ ଗିରି ଓ ଲିପି ଗାରୁ । ମହାମାରୀ କୋରୋନା ପାଇଁ ଲକଡାଉନ ବଳବତ୍ତର ଥିବା ଯୋଗୁଁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସାରା ଦେଶରେ ସଭାସମିତି, ବିବାହ, ବ୍ରତ ଏପରିକି ଭୋଜିଭାତ ସଂପୂର୍ଣ୍ଣ ରୂପେ ବନ୍ଦ ରହିଛି । ତେବେ ଏସବୁ ନିୟମକୁ ପାଳନ କରି କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ସୁନୀତି ପଞ୍ଚାୟତ ଜଗତଜୋର ସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଉଭୟ ବର ଓ କନ୍ୟା ପକ୍ଷ ଗୋଲ କାଟି ସାମାଜିକ ଦୂରତ୍ବ ରକ୍ଷା କରି ବାହାଘର ଉତ୍ସବରେ ସାମିଲ ହୋଇଥିଲେ । ବର ଅପୁ ନିଜେ ମଟରସାଇକେଲ ଚଲାଇ ମନ୍ଦିରକୁ ବିବାହ ପାଇଁ ଆସିଥିଲା ବେଳେ ବର, କନିଆଁ, ବ୍ରାହ୍ମଣ, ଜ୍ୟୋତିଷ ଓ ବାରିକଙ୍କୁ ଛାଡ଼ି ଉଭୟ ପକ୍ଷରୁ ଦୁଇଜଣଙ୍କୁ ମିଶାଇ ସମୁଦାୟ ୭ ଜଣରେ ସାମାଜିକ ଦୂରତା ରକ୍ଷା କରିବା ସହିତ ଉଭୟ ବର କନିଆ ଓ ବ୍ରାହ୍ମଣ ମଧ୍ୟ ମାସ୍କ ପିନ୍ଧି ସଚେତନତାର ସହିତ ବିବାହ ହୋଇଥିଲା । ନିଆରା ଢଙ୍ଗରେ ହୋଇଥିବା ଏହି ବିଭାଘରକୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହିତ ବ୍ୟୟବହୁଳ ବିଭାଘର ଠାରୁ ଲକଡାଉନର ଏଭଳି ବିଭାଘର ଯଥେଷ୍ଟ ଭଲ ବୋଲି ମତବ୍ୟକ୍ତ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ