କେନ୍ଦ୍ରାପଡା: 'ବୋଝ ଉପରେ ଲଳିତା ବିଡା' ଏହି ଉକ୍ତିଟି ଯଥାର୍ଥରେ ପ୍ରତିପାଦିତ ହେଉଛି ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ । ଦୁଃଖ ଉପରେ ଭାଙ୍ଗି ପଡିଛି ଆଉ ଏକ ଦୁଃଖର ପାହାଡ। ପ୍ରଥମେ ମୁଣ୍ଡ ଉପରୁ ବାପାଙ୍କ ହାତ ଚାଲିଗଲା । ଆଉ ତାପରେ ମାଆ ବି ପର କରି ଆରପାରିକୁ ଚାଲିଗଲା । ଏବେ ଦୁର୍ଘଟଣାରେ ଗୋଟେ ଗୋଡ କଟିଯିବା ପରେ ଦିବ୍ୟାଙ୍ଗ ହୋଇ ଜୀବନ ବିତାଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଚଡେଇଗୁଆଁ ଗ୍ରାମର ଧର୍ମେନ୍ଦ୍ର ସେଠୀ ଓରଫ ଧରମା ।
୨୦୧୪ ରେ ବାପା ଭାସ୍କରଙ୍କ କିଡନୀ ଫେଲରେ ଆରପାରିକୁ ଚାଲିଗଲେ । ଏହାପରେ ମାଆ ପୁଅ ଗାଁରେ ବହୁ କଷ୍ଟରେ ଚଳୁଥିଲେ। ଆଉ ଏମିତି ସ୍ଥିତିରେ ମାତ୍ର ୧୩ବର୍ଷ ବୟସରେ ଧର୍ମେନ୍ଦ୍ର ବାହାରି ପଡିଥିଲା ରୋଜଗାର ଉଦ୍ଦେଶ୍ୟରେ। ଗାଁରେ ଜଣେ ମାଲିକଙ୍କ ଠାରୁ ପାୱାର ଟିଲର ଚଲାଇବା ଶିଖି ଭଲ ଦିପଇସା ରୋଜଗାର କରିବା ଉଦ୍ଦେଶ୍ୟରେ ଯାଇଥିଲା। ମାତ୍ର ଧର୍ମେନ୍ଦ୍ରଙ୍କ ସ୍ବପ୍ନ ପୂରଣ ହେବା ପୂର୍ବରୁ ମଉଳି ଯାଇଥିଲା ।
ପାୱାର ଟିଲର ଶିଖିବା ସମୟରେ ସାମାନ୍ୟ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟି ବାମଗୋଡ ହରାଇଥିଲା ଧର୍ମେନ୍ଦ୍ର। ଗାଁ ଲୋକେ ଚାନ୍ଦା ଆଦାୟ କରି ଧର୍ମେନ୍ଦ୍ରକୁ ସୁସ୍ଥକରି ଆଣିଥିଲେ। ବହୁ ଦୁଃଖକଷ୍ଟରେ ମା ଭିକ୍ଷାବୃତ୍ତି କରି ପୁଅକୁ ଚଳାଉଥିଲେ । ହେଲେ ଚଳିତମାସରେ ଧର୍ମେନ୍ଦ୍ରର ମାଆ ମଧ୍ୟ ଧର୍ମେନ୍ଦ୍ରକୁ ଅନାଥ କରିଦେଇ ଆରପାରିକୁ ଚାଲିଗଲେ, ଯାହାକି ବର୍ତ୍ତମାନ ଧର୍ମେନ୍ଦ୍ରର ଦୁଃଖକୁ ଦ୍ଵିଗୁଣିତ କରିଛି।
ଭିନ୍ନକ୍ଷମ ସାଙ୍ଗକୁ ଅଭାବି ପରିବାର ଏବେ ଧର୍ମେନ୍ଦ୍ରର ଚିନ୍ତା ବଢାଇ ଦେଇଛି। ବୋଉର ଶୁଦ୍ଧକ୍ରିୟା କିପରି କରିବ ସେହି ଚିନ୍ତାରେ ଏବେ ଧର୍ମେନ୍ଦ୍ର। ଏନେଇ ଇଟିଭି ଭାରତ ଟିମ କେନ୍ଦ୍ରାପଡା ଜରୁରୀକାଳୀନ ଅଧିକାରୀଙ୍କୁ ଧର୍ମେନ୍ଦ୍ର ବିଷୟରେ ଜଣାଇଥିଲେ। ଖୁବଶୀଘ୍ର CMRF ପାଣ୍ଠିରୁ ଅସହାୟ ଧର୍ମେନ୍ଦ୍ରକୁ ସହାୟତା ଯୋଗାଇ ଦିଆଯିବ ଓ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅଧିକାରୀ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ