କେନ୍ଦ୍ରାପଡା: ଭାଙ୍ଗିଲା ୨୦୦ ବର୍ଷର ପରମ୍ପରା । ବିଦାୟ ନେଲେ କିନ୍ତୁ ହଂସୁଆ ନଦୀରେ ଚାପକେଳି କରିପାରିଲେ ନାହିଁ ମା'ଦୁର୍ଗା । ସାରା ଓଡିଶାରେ ରାଜନଗର ମା ଦୁର୍ଗାଙ୍କ ଭସାଣ ଉତ୍ସବ ନିଆରା ଭାବେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କୋଭିଡ କଟକଣା ପାଇଁ ସମ୍ପୂର୍ଣ୍ଣ ନିଡାମ୍ବର ଭାବେ ମା'ଙ୍କୁ ମେଲାଣି ଦିଆଯାଇଛି ।
ରାଜ୍ୟର ଅନ୍ୟ ସମସ୍ତ ସ୍ଥାନ ମାନଙ୍କରେ ମା'ଙ୍କୁ ବାଜା,ବାଣ ଓ ରୋଷଣୀ କରାଯାଇ ମେଲାଣି ଦିଆଯାଉଥିବା ବେଳେ କେନ୍ଦ୍ରାପଡା ରାଜନଗରରେ ମା' ଦୁର୍ଗାଙ୍କୁ ଭିନ୍ନ ଢଙ୍ଗରେ ମେଲାଣି ଦିଆଯାଏ।ପ୍ରଚଳିତ ରୀତିନୀତି ଅନୁସାରେ ମା'ଙ୍କୁ ଗୋପାଳ ସଂପ୍ରଦାୟର ଲୋକେ ମଣ୍ଡପରୁ ନଦୀ ପଠାକୁ କାନ୍ଧରେ କାନ୍ଧେଇ ଆଣିଥାନ୍ତି ।ପରେ ସୁସଜ୍ଜିତ ହୋଇ ରହିଥିବା ନୌକାରେ ମା'ଙ୍କୁ ବସାଇ ନଦୀରେ ନୌବିହାର ଆରମ୍ଭ ହୁଏ।ମା' ହଂସୁଆ ନଦୀରେ ୭ଘେରା ଚାପ ଖେଳିବା ପରେ ଗଭୀର ନଦୀରେ ତାଙ୍କୁ ବିସର୍ଜନ କରାଯାଇଥାଏ।କିନ୍ତୁ ଚଳିତବର୍ଷ କୋଭିଡ କଟକଣା ପାଇଁ ୨୦୦ ବର୍ଷର ପରମ୍ପରା ଭଙ୍ଗ ହୋଇଛି।ପ୍ରଶାସନର କଟକଣା ପାଇଁ ଗୋପାଳ ସଂପ୍ରଦାୟର ଲୋକେ ନଦୀ ପଠାକୁ ମା'ଙ୍କୁ କାନ୍ଧେଇ ଆଣିଥିଲେ ମଧ୍ୟ ମା ନୌବିହାର କରିପାରି ନାହାନ୍ତି ।ନଦୀ କୂଳରେ ମା'ଙ୍କୁ ବିସର୍ଜନ କରାଯାଇଛି ।
ସ୍ଥାନୀୟ ଲୋକେ କହିବା ଅନୁସାରେ ତତ୍କାଳୀନ କନିକା ରାଜା ରାଜନଗରରେ ୨୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ଦୁର୍ଗା ପୂଜା ।ଉଦ୍ଦେଶ୍ୟ ଥିଲା ତାଙ୍କ ପ୍ରଜା ଓ ଅଞ୍ଚଳକୁ ବ୍ୟାପିଥିବା ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରିବା । ରାଜାଙ୍କ ରାଜତ୍ବ ସମୟରେ ରାଜନଗରରେ ଗମନାଗମନ ଓ ସୁବିଧା ସ୍ଥଳପଥରେ ନଥିବାରୁ କନିକା ରାଜା ମା'ଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ହଂସୁଆ ନଦୀରେ ଡଙ୍ଗାରେ ମା ଙ୍କୁ ୭ଥର ଚାପକେଳି କରି ବିସର୍ଜନ କରିଥିଲେ।ଯଦିଓ ଏବେ ରାଜାରାଜତ୍ବ ଅମଳ ଆଉ ନାହିଁ ତଥାପି ସ୍ଥାନୀୟ ଲୋକେ ରାଜାଙ୍କ ଦ୍ବାରା ପ୍ରଚଳିତ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଥିବା ବେଳେ ଚଳିତବର୍ଷ ସେହି ପରମ୍ପରା ଭଙ୍ଗ ହୋଇଛି।ଏହି ନିଆରା ଭଷାଣ ଉତ୍ସବ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଧାଇଁ ଆସିଥାନ୍ତି।ଲୋକାରଣ୍ୟ ହୋଇ ଯାଏ ନଦୀ ପଠା କିନ୍ତୁ କୋଭିଡ କଟକଣା ପାଇଁ ନଦୀ ପଠା ଆଜି ଖାଁ ଖାଁ ପଡିଛି ।
ଚଳିତବର୍ଷ ନିଡାମ୍ବରଭାବେ ଦୁର୍ଗା ପୂଜା ପାଳନ ହୋଇଥିବା ବେଳେ ମା'ଙ୍କ ନିକଟରେ ଭକ୍ତଙ୍କ ପ୍ରାର୍ଥନା ମା ଏହି ମହାମାରୀ ଠାରୁ ସାରା ବିଶ୍ବକୁ ରକ୍ଷା କରନ୍ତୁ । କେବେ ଏହି ମହାମାରୀ ହଟିବ ପୁଣି ପୂର୍ବପରି ଜାକଜମକରେ ପାଳନ ହେବ ଦୁର୍ଗା ପୂଜା ତାକୁ ରହିଲା ସମସ୍ତଙ୍କ ଅପେକ୍ଷା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ