ଫୁଲବାଣୀ: ଜଙ୍ଗଲରୁ ମୃତ୍ତିକା ସଂରକ୍ଷଣ ପିଡିଏମଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ପିଡିଏମ ରାମଚନ୍ଦ୍ର କାର୍ଜିଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁମୁଡିବନ୍ଧ ଥାନା ବାଟାମାହା ମାଦାଗୁଡା ବାଇପାସ ରାସ୍ତା କଡ଼ରେ ଥିବା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପିଡିଏମଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । କୋଟଗଡ ବ୍ଲକ ରଜା ସାହିର ବାସିନ୍ଦା ହେଉଛନ୍ତି ରାମଚନ୍ଦ୍ର କାର୍ଜି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ୍ତିକା ସଂରକ୍ଷଣ ପିଡିଏମ ରାମଚନ୍ଦ୍ର କାର୍ଜି ଗତ ବୁଧବାର ସନ୍ଧ୍ୟା ଠାରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଏହାପରେ ଗୁରୁବାର ସକାଳେ କିଛି ଗ୍ରାମବାସୀ ପାଟାମାହା ଜଙ୍ଗଲ ଭିତରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପରେ ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା, ଏସ ଆଇ ସର୍ବେଶ୍ୱର ଖାଡ଼ଙ୍ଗା, ଏସ ଆଇ କବିରାଜ ବତ୍ରା ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ ।
ଏନେଇ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ବ୍ୟଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ରାମଚନ୍ଦ୍ର କାର୍ଜିଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଝୁଲାଇ ଦେଇଚାଲିଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ । ଏଥିସହ ତାଙ୍କର କାହା ସହ ଶତ୍ରୁତା ରହିଥିଲା ନା ନାହିଁ ସେନେଇ ମଧ୍ୟ ପଚରାଉଚରା କରାଯାଉଛି । ଅନ୍ୟପଟେ ଯଦି ସେ ଆତ୍ମହତ୍ୟା କରିଛନ୍ତି ଏହା ପଛରେ କାରଣ କଣ ରହିଥାଇ ପାରେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ । ଏହି ଘଟଣା ନେଇ ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ ।
ଇଟିଭି ଭାରତ, କନ୍ଧମାଳ