ଫୁଲବାଣୀ: ଥମୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ । ଆନ୍ଧ୍ର ସରକାରଙ୍କୁ ବାରମ୍ବାର ତାଗିଦ ସତ୍ତ୍ବେ ଓଡ଼ିଶାବାସୀଙ୍କୁ ସେବା ଯୋଗାଉଛି ପଡ଼ୋଶୀ ରାଜ୍ୟର ସରକାର । ଏବେ ଓଡ଼ିଶାକୁ ଆନ୍ଧ୍ରରୁ ଚୋରା କ୍ଷୀର ପ୍ୟାକେଟ ଆସୁଥିବା ସୂଚନା ମିଳିଛି । ପ୍ୟାକେଟ ଉପରେ ଜଗମୋହନ ରେଡ୍ଡୀଙ୍କ ଚିତ୍ର ଥିବାବେଳେ 'ବିଜୟ ଭାଜର' ନାମକ କ୍ଷୀର ପ୍ୟାକେଟ କନ୍ଧମାଳ ଜିଲ୍ଲାର କୋଟଗଡ଼ ମାର୍କେଟରେ ମିଳୁଛି ।
କୋଟିଆ ପରେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକା ଏବେ ଆନ୍ଧ୍ର କ୍ଷୀର ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ରରୁ ଆସୁଥିବା ଏହି କ୍ଷୀର ପ୍ୟାକେଟ ଉପରେ ରହିଛି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ଆନ୍ଧ୍ର ସରକାରଙ୍କ ଲୋଗୋ (Logo of Andhra Govt.) । ଏହା ବିକ୍ରି ପାଇଁ ନୁହେଁ କିନ୍ତୁ ଅବାଧରେ ଚାଲିଛି ଏହି କ୍ଷୀର ବିକ୍ରି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କ ଚିତ୍ର ଥିବା 'ବିଜୟ ଭାଜର' ନାମକ କ୍ଷୀର ପ୍ୟାକେଟ୍ ଆନ୍ଧ୍ରରେ ହିଁ ବିକ୍ରି ହେବା କଥା । ହେଲେ ଓଡ଼ିଶାରେ କେମିତି ବିକା ଯାଉଛି ତାହା ଏବେ ପ୍ରଶ୍ନ ଉଠିଛି ।
ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର ପ୍ୟାକେଟ୍ କନ୍ଧମାଳ ଜିଲ୍ଲାର କୋଟଗଡ଼ ବଜାରରେ ବିକ୍ରି ହେଉଛି । ପ୍ୟାକେଟ ଉପରେ ଲେଖାଯାଇଛି ଯେ ଏହା ବିକ୍ରି ପାଇଁ ନୁହେଁ, ବରଂ ମାଗଣାରେ ଦିଆଯିବାକୁ ଉଦ୍ଦିଷ୍ଟ । ହେଲେ କୋଟଗଡ଼ ବଜାର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଜାଗାରେ ବିକ୍ରି ହେଉଛି ଏହି କ୍ଷୀର । ଆନ୍ଧ୍ରରେ ଏହି କ୍ଷୀର ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମାଗଣା ଦେବା ପାଇଁ ଉଦ୍ଦିଷ୍ଟ ।
କିନ୍ତୁ ଏହାକୁ ଖୁଲମଖୁଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ୪୦ ଟଙ୍କାରେ ବିକ୍ରି ହେଉଛି । ତେବେ ଆନ୍ଧ୍ରର ଏହି କ୍ଷୀର କେମିତି ଓଡ଼ିଶାକୁ ଆସିଛି ଏବଂ ଖୁଲମ ଖୁଲା ବିକ୍ରି ହେଉଛି, ତାହା ଏବେ ବଡ଼ ପ୍ରଶ୍ନ । କୋଟିଆ ଭଳି ସୀମା ବିବାଦ ଭିତରେ କ୍ଷୀର ପ୍ୟାକେଟ ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବେଶ ଚର୍ଚ୍ଚା ହେଉଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ