ଫୁଲବାଣୀ: କନ୍ଧମାଳ ଜିଲ୍ଳାକୁ ପୁଣି ଲେଉଟିଛି ଶୀତ। ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ହଠାତ ଦୁଇ ଭିତରେ ଜିଲ୍ଲାର ତାପମାତ୍ରା 4ରୁ 5 ଡିଗ୍ରୀ କମିଥିବା ଜଣାପଡିଛି । ଫୁଲବାଣୀରେ ଦଶ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିର ତାପମାତ୍ରା 8 ଡିଗ୍ରୀ ତଳେ ରହୁଛି । କୋହଲା ପବନ ସାଙ୍ଗକୁ ଅସହ୍ୟ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଜାଳି ଉଷୁମ ପାଉଥିବା ଦେଖାଯାଇଛି ।
ଗ୍ରାମାଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକେ ନିଆଁ ଜାଳି ଉଷୁମ ନେଉଥିବା ଦେଖାଯାଇଛି । ସହରୀ ଲୋକେ ସକାଳୁ ମର୍ଣ୍ଣିଂୱାକ ଓ ବ୍ୟାୟାମ କରି ଶୀତ ଦିନକୁ ବିତାଇଥାନ୍ତି । ଏବେ ବି ଜିଲ୍ଲାରେ ଘନ କୁହୁଡି ଲାଗି ରହୁଛି । ହେଲେ ଏହାକୁ ଖାତିର ନକରି ଗାଁ ଗଣ୍ଡାର ଖଟିଖିଆ କିନ୍ତୁ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।
ଦୀର୍ଘ ବାଟ ଚାଲିଚାଲି ବିଡାଏ କାଠ ମୁଣ୍ଡେଇ ସହରକୁ ଧାଇଁ ଆସୁଛନ୍ତି ପେଟପାଟଣା ପାଇଁ। ଲଗାତାର ଏପରି ଶୀତ ଲହରୀ ଲାଗି ରହିଲେ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ