ଫୁଲବାଣୀ: ରାଜ୍ୟ ସରକାର ଶିଶୁଙ୍କ ବିକାଶ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଏହି ଯୋଜନାର ସଫଳ ରୂପାୟନ ତୃଣମୂଳ ସ୍ତରରେ ହେଉନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ଫିରିଙ୍ଗିଆ ବ୍ଲକରେ ଦେଖିବାକୁ ମିଳିଛି । ଗୁରୁବାର ପବିଙ୍ଗିଆ ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କୁ ପଚା ଅଣ୍ଡା ଦିଆଯାଇଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ପବିଙ୍ଗିଆ ପଞ୍ଚାୟତ ୬ ନମ୍ବର ୱାର୍ଡରେ ରହିଛି ଅଙ୍ଗନୱାଡି କେନ୍ଦ୍ର । ଏହି କେନ୍ଦ୍ରରେ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଯେଉଁ ଅଣ୍ଡା ଦିଆଯାଇଥିଲା ତାହା ପଚା ଥିଲା । ଅଣ୍ଡା କାହାଠାରୁ କିଣାଯାଇଛି ଏବଂ ଦେଲା ବେଳେ ତାହା କାହିଁ ତଦାରଖ କରାଗଲା ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଲତା ପ୍ରଧାନ କହିଛନ୍ତି ଯେ, " ଅଣ୍ଡା ଦିଆଯିବା ପୂର୍ବରୁ ତାହାକୁ ତଦାରଖ କରାଯିବା କଥା । ଏକଥା ସବୁ ଅଙ୍ଗନବାଡି କର୍ମୀଙ୍କୁ ଜଣାଯାଇଛି । ସେମାନେ ଏ ବିଷୟରେ ତାଲିମ ନେଇଛନ୍ତି । ଘଟଣା ମୋ ନଜରକୁ ଆସିଛି । ଏହାର ତଦନ୍ତ କରାଯିବ।"
ଇଟିଭି ଭାରତ, କନ୍ଧମାଳ