ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବହୁ ବର୍ଷ ଧରି ରାଜନୀତି କରିଆସୁଥିବା ଟାଣୁଆ ନେତାଙ୍କ ପରିବାର ଚଳିତ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତ ସାଧାରଣ ନିର୍ବାଚନରେ ଦୁଇ ଜଣ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ । ହେଲେ ପଞ୍ଚାୟତ ନିର୍ବାଚରେ ସେମାନଙ୍କ ମଧ୍ୟରୁ ଜଣେ ଜିଲ୍ଲା ପରିଷଦ ଏବଂ ଅନ୍ୟ ଜଣ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ଜିଲ୍ଲାରେ ପୂର୍ବରୁ ଥିବା ଏମ୍ପି, ମନ୍ତ୍ରୀମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସମସ୍ତେ ବଡ ପଦବୀକୁ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ ଅଧିକାଂଶ ନଜର ରଖିଛନ୍ତି ।
ଦୁଇ ବିଧାୟକ ପ୍ରାର୍ଥୀ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଦୌଡରେ
ବିଗତ ଦୁଇଟି ସାଧାରଣ ନିର୍ବାଚନରେ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାରୁ ପ୍ରାର୍ଥୀ ହୋଇ ଦେବନାରାୟଣ ପ୍ରଧାନ ନିର୍ବାଚନ ଲଢ଼ିଥିଲେ ଏବଂ ହାରି ଯାଇଥିଲେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବନାରାୟଣ କେରେଡି ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଫୁଲବାଣୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ସେ ଆଶା ରଖିଥିବା ଜଣାପଡିଛି ।
ସେହିପରି ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ଭାଜପା ପକ୍ଷରୁ ଅର୍ଚ୍ଚନା ପ୍ରଧାନ ବିଧାୟିକା ପ୍ରାର୍ଥୀ ହୋଇଥିଲେ । ସେ ନିର୍ବାଚନରେ ହାରି ଯାଇଥିଲେ । ଏଥର ସେ ଦାରିଙ୍ଗିବାଡି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଲଢୁଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଆସନ ଦଖଲ ଲକ୍ଷ୍ୟରେ ଜୋରଦାର ପ୍ରଚାର ଚଳାଇଛନ୍ତି ।
ପୂର୍ବତନ ସାଂସଦଙ୍କ ଝିଅ ସରପଞ୍ଚ ପ୍ରାର୍ଥୀ
ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଳତୀ ପ୍ରଧାନ ଏଥର ପୁଣି ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ଫୁଲବାଣୀର ପ୍ରଥମ ଲୋକସଭା ସଦସ୍ୟ ବିଜୟ ଚନ୍ଦ୍ର ପ୍ରଧାନଙ୍କ ଝିଅ ହେଉଛନ୍ତି ମାଳତୀ । ସ୍ୱର୍ଗତ ପ୍ରଧାନ ୧୯୫୨ରୁ ୫୭ ପର୍ଯ୍ୟନ୍ତ ଫୁଲବାଣୀ ଏମ୍ପି ରହିଥିଲେ । ପିତାଙ୍କୁ ଅନୁସରଣ କରି ମାଳତୀ ମଧ୍ୟ ରାଜନିତୀକୁ ଆପଣେଇ ନେଇଛନ୍ତି । ଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇ ମାଳତି ମିଣିଆ ପଞ୍ଚାୟତର ସରପଞ୍ଚ ରହି ସାରିଛନ୍ତି । ଏଥରକ ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି ।
ପୂର୍ବତନ ସାଂସଦଙ୍କ ବୋହୂ ଜିଲ୍ଲା ପରିଷଦ ପ୍ରାର୍ଥୀ
ଫୁଲବାଣୀର ପୂର୍ବତନ ସାଂସଦ ଶ୍ରୀବତ୍ସ ଦିଗାଲଙ୍କ ପୁତ୍ରବଧୂ ହେଉଛନ୍ତି ମମତାରାଣୀ ବେହେରା । ସେ ଆସନ୍ତା ନିର୍ବାଚନରେ ୬ ନଂ ଜିଲ୍ଲା ପରିଷଦ ଜୋନ ଚକାପାଦରେ ବିଜେଡି ପକ୍ଷରୁ ଟିକେଟ ପାଇ ନିର୍ବାଚନ ଲଢୁଛନ୍ତି । ସ୍ୱର୍ଗତ ସାଂସଦ ଶ୍ରୀବତ୍ସ ଜରୁରୀ କାଳୀନ ପରିସ୍ଥିତି ପରେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢି ୧୯୭୭ରୁ ୧୯୮୦ ପର୍ଯନ୍ତ ସାଂସଦ ରହିଥିଲେ । ଏବେ ବିଜେଡି ଟିକଟରେ ନିଜ ରାଜନୈତିକ ଭାଗ୍ୟ ପରଖିବା ପାଇଁ ବାହରିଛନ୍ତି ମମତା ।
ପରିବହନ ମନ୍ତ୍ରୀଙ୍କ ଭାଇ ବୋହୂ ସମିତି ସଭ୍ୟ ପ୍ରାର୍ଥୀ
କନ୍ଧମାଳ ଜିଲ୍ଲା ରାଜନୀତିରେ ରାଜ୍ୟ ମନ୍ତ୍ରୀମଣ୍ଡଳର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବହୁ ଦବ୍ଦବା ରହିଛି । ରାଜ୍ୟ ରାଜନୀତିରେ ବି ସେ ଜଣେ ଜଣାଶୁଣା ଚେହେରା । ପୂର୍ବରୁ ମନ୍ତ୍ରୀ ପଦ୍ମନାଭଙ୍କ ପତ୍ନୀ ବିଷ୍ନୁପ୍ରିୟା ବି ରାଜ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ସ୍ଥାନ ପାଇ ସାରିଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ରହିଛି ମନ୍ତ୍ରୀ ପଦ୍ମନାଭଙ୍କ ଅଖଣ୍ଡ ପ୍ରଭାବ । ଏବେ ଏହି ବ୍ଲକର ନୂଆପଦର ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ତାଙ୍କ ଭାଇ ବୋହୂ ମୀନା କୁମାରୀ ବେହେରା । ଏହି ମନ୍ତ୍ରୀ ପରିବାରର ରାଜନୀତି ସହ ଦୀର୍ଘ ଦିନର ସଂପୃକ୍ତି ଥିଲେ ବି ସକ୍ରିୟ ରାଜନୀତିରେ ନୂଆ କରି ମୀନା କୁମାରୀ ପାଦ ଦେଇଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ