ଫୁଲବାଣୀ: ଆଉ ଗୋଟିଏ ଦିନ ପରେ ବଡ଼ଦିନ । ଏଥିପାଇଁ ସଜେଇ ହେଲାଣି ଚର୍ଚ୍ଚ ଓ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ମନରେ ଅମାପ ଉତ୍କଣ୍ଠା ଆଉ ବଡ଼ଦିନକୁ ଅପେକ୍ଷା । ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ । ସେଥିପାଇଁ ଚିକମିକ ଆଲୁଅରେ ଝଲସୁଛି ସମସ୍ତ ପ୍ରାର୍ଥନା ଗୃହ । ରଙ୍ଗବେରଙ୍ଗର ଷ୍ଟାର୍ ସହ ଚିକମିକ ଜରିରେ ଝଲସୁଛି ଗୀର୍ଜାଗୃହ । କନ୍ଧମାଳର ସମସ୍ତ ଚର୍ଚ୍ଚରେ କିଛି ଏଭଳି ହିଁ ପ୍ରସ୍ତୁତି ଦେଖିବାକୁ ମିଳୁଛି ।
ବଡ଼ଦିନକୁ ମହାଆଡ଼ମ୍ବରରେ ପାଳନ ପାଇଁ ଚାଲିଛି ନାଚଗୀତର ଅଭ୍ୟାସ । ପ୍ରତୀକ ସ୍ୱରୂପ ପ୍ରଭୁ ଯୀଶୁ ଜନ୍ମ ନେଇଥିବା ଗୁହାଳ ଘର ମଧ୍ୟ ଚାଲିଛି ତିଆରି । ତେବେ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ପାଳନ ହେବ ବଡ଼ଦିନ । ସମସ୍ତ ଗୀର୍ଜାଗୃହ ଗୁଡ଼ିକରେ କେବଳ ୫୦ପତିଶତ ଭକ୍ତଙ୍କୁ ନେଇ ପାଳନ ହେବ ଖ୍ରୀଷ୍ଟମାସ୍ । ଏହି ସମୟରେ କୋଭିଡ ଗାଇଡଲାଇନ୍ ଉପରେ ଧ୍ୟାନ ଦିଆଯିବ । ମାସ୍କ, ସାନିଟାଇଜର ବ୍ୟବହାର କରିବେ ଶ୍ରଦ୍ଧାଳୁ ।
ସେପଟେ କୁଇ ସମାଜ ପକ୍ଷରୁ ୨୫ ତାରିଖ ଦିନ ବାରଖମରେ ୨୦୦୭ରେ ମୃତ୍ୟୁବରଣ କରିଥିବା ଖଗେଶ୍ଵର ମଲ୍ଲିକଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯିବ । ଏନେଇ ଫୁଲବାଣୀରେ ଏକ ସଭା ଆୟୋଜନ ହୋଇଛି । ବଡ଼ଦିନକୁ ଆଖି ଆଗରେ ରଖି ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରିଛି ପୋଲିସ ପ୍ରଶାସନ । ଜିଲ୍ଲା ସମସ୍ତ ଛକରେ ଗାଡ଼ି ଯାଞ୍ଚ କରାଯାଉଛି । ଜିଲ୍ଲାରେ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବାବେଳେ ୧୦ ଜଣ ଆଡିସନାଲ ଏସ୍ପି ନିୟୋଜିତ ହୋଇଛନ୍ତି । ସେହିପରି ୮ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୨ ଡେପୁଟି କମାଣ୍ଡେଣ୍ଟ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଏହାକୁ ନେଇ କନ୍ଧମାଳ ଏସ୍ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ