ଫୁଲବାଣୀ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଏଥିରେ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଉଲ୍ଲେଖ ରହିଛି ।
ଏହି ଇସ୍ତାହାର ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର, କୃଷିର ବିକାଶ, ରୋଜଗାର ବୃଦ୍ଧି, ଗମନା ଗମନ, ସଂଚାର, ଓ ଭିତ୍ତିଭୂମିର ବିକାଶ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନେଇ ପ୍ରଭାରୀ ବିସ୍ମୟ ମହାପାତ୍ର କହିଥିଲେ । ସେହିପରି ଜ଼ିଲ୍ଲା ରେ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ଗମନାଗମନ, ବିଦ୍ୟୁତ ସମସ୍ୟା ଆଦିମଧ୍ୟ ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ଜ଼ିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି ।
ଜ଼ିଲ୍ଲାରେ ଏବେ ପୂର୍ବାପେକ୍ଷା କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି । ଫଳରେ ୧୮ଟି ଜ଼ିଲ୍ଲା ପରିଷଦ ଆସନ ମଧ୍ୟରୁ ଅନ୍ୟୁନ ୧୨ ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହେବେ ବୋଲି ଅନାମ ଦୃଢୋକ୍ତି ପ୍ରକାଶ କରିଥିଲେ l ପ୍ରେସକ୍ଲବ ଠାରେ ଜ଼ିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜ଼ିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧ୍ୟକ୍ଷ ନନ୍ଦ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ l
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ