ଫୁଲବାଣୀ: ବିଜେଡି ନେତା ତଥା ଜି ଉଦୟଗିରି NACର ପୂର୍ବତନ ଅଧ୍ୟକ୍ଷ ସଞ୍ଜୀବ ପାତ୍ରଙ୍କ ଅଡିଓ କ୍ଲିପ ଭାଇରାଲ । ଗତ ଦୁଇ ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଅଡିଓ କ୍ଲିପ । ଯେଉଁଥିରେ କି NACର ପୂର୍ବତନ ଅଧ୍ୟକ୍ଷ ଜଣଙ୍କ ଜନୈକା ମହିଳାଙ୍କ ସହ ଅଶ୍ରାବ୍ୟ ଭାଷାରେ କଥା ହେଉଥିବା ଶୁଣିବାକୁ ମିଳୁଛି । ତେବେ ଏହା ତାଙ୍କ ସ୍ୱର ନୁହେଁ, ଏହାକୁ ତାଙ୍କର କୌଣସି ବିରୋଧୀ ଉଦେଶ୍ୟ ମୂଳକ ଭାବେ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଞ୍ଜୀବ ପାତ୍ର ।
ଆଗାମୀ ପୌର ନିର୍ବାଚନରେ ଜି ଉଦୟଗିରି ଏନଏସି ପାଇଁ ମୋ ଧର୍ମପତ୍ନୀ ମିତାରାଣି ପାତ୍ର ପୌରାଧ୍ୟକ୍ଷ ପଦବୀ ପାଇଁ BJDର ଟିକେଟ ଦୌଡରେ ଅଛନ୍ତି । ତାଙ୍କର ଦଳୀୟ ଟିକେଟ ପାଇବା ସମ୍ଭାବନା ଥିବାରୁ ବିରୋଧୀ ଗୋଷ୍ଠୀ ଏପରି କରିଥିବା ସେ ଅଭିଯୋଗ ଆଣିଛନ୍ତି । ଏହା ସଂପୂର୍ଣ୍ଣ ରୂପେ ଭ୍ରାମାତ୍ମକ ଏବଂ ତାଙ୍କ ସ୍ୱରକୁ ଏହି ଅଡିଓ କ୍ଲିପରେ ନକଲ କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।
ତେବେ ଏହା କାହାର କାମ ହୋଇପାରେ ସେ ନେଇ ସଞ୍ଜୀବ କିଛି ସ୍ପଷ୍ଟ କରି ନାହାନ୍ତି । ପୌର ନିର୍ବାଚନ ପାଇଁ ଦଳୀୟ ଟିକେଟ ଆବଣ୍ଟନର ଶେଷ ମୂହୂର୍ତ୍ତରେ ଏଭଳି ଘଟଣା ତାଙ୍କ ଧର୍ମପତ୍ନୀଙ୍କ ଟିକେଟ ପାଇବା ସମ୍ଭାବନା ଉପରେ ଆଞ୍ଚ ଆଣିପାରେ ବୋଲି ଆଲୋଚନା ହେଉଛି । ଅଡିଓ ଭାଇରାଲ ନେଇ ସଞ୍ଜୀବ ପାତ୍ର ଜି. ଉଦୟଗିରି ଥାନାରେ ଏତଲା ଦେବେ ବୋଲି କହିଛନ୍ତି । ଯଦି ଏହି ସ୍ୱର ତାଙ୍କର ବୋଲି ପ୍ରମାଣିତ ହୁଏ ତେବେ ସେ ରାଜନୀତି ଛାଡ଼ିଦେବେ ବୋଲି ମଧ୍ୟ ଦୃଢ଼ତା ର ସହ କହିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ