ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ରାଣୀପଥର ଗ୍ରାମରେ କିଡ୍ନୀ ରୋଗ ବଢ଼ିବା ଘଟଣାକୁ ନେଇ ଥଳକୂଳ ପାଉନି ସ୍ୱାସ୍ଥ୍ୟ ବିଭାଗ । ଏହାର ପ୍ରକୃତ କାରଣ କଣ ରହିଛି ତାହା ଖୋଜିପାରୁନାହାନ୍ତି ଡାକ୍ତର । ଗତ କିଛି ଦିନ ତଳେ ଗ୍ରାମରୁ ସଂଗ୍ରହ ହୋଇଥିବା ରକ୍ତ ନମୁନାରୁ ଆଉ ୧୧ ଜଣ ନୂଆ କିଡ୍ନୀ ରୋଗୀ ଚିହ୍ନଟ ହୋଇଛନ୍ତି । ସତେ ଯେମିତି ଅଭିଶପ୍ତ ଗ୍ରାମ ପାଲଟିଛି ରାଣୀପଥର ।
ଏହା ମଧ୍ୟ ପଢନ୍ତୁ: ଅଭିଶପ୍ତ ଗାଁ: କିଡନୀ ରୋଗରେ ଗଲାଣି ୧୦ରୁ ଅଧିକ ମୁଣ୍ଡ, ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା
ବିଭାଗ ଚତୁରତାର ସହ ଉଚ୍ଚ ରକ୍ତ ଚାପ ଏବଂ ମଧୁମେହକୁ ଆଳ କରି ଘଟଣାକୁ ଏଡାଇ ଦେବାକୁ ବସିଥିବା ନେଇ କୁହାଯାଉଛି । ଏନେଇ ଏକ ଖବର ଇଟିଭିରେ ଖବର ପ୍ରସାରଣ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ୍ ଏବଂ ଖଜୁରୀପଡା ମେଡିକାଲାର ଆଉ ଗୋଟିଏ ଟିମ୍ ଗ୍ରାମରେ ପହଞ୍ଚି କିଡନୀରେ ଆକ୍ରାନ୍ତ ରୋଗୀ, ପରିବାର ସଦସ୍ୟ ଏବଂ ପଡୋଶୀଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲା । ସଂଗୃହୀତ ୨୧ ଟି ନମୂନା ମଧ୍ୟରୁ ପୁଣି ୧୧ ଜଣ ଏହି ରୋଗରେ ପୀଡିତ ଥିବା ଜଣାପଡିଛି । ହାରାହାରି ଦେଖିବାକୁ ଗଲେ ସଂଗ୍ରହର ୫୦ ପ୍ରତିଶତ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମର ସମସ୍ତ ଘରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ଟିମ ତରଫରୁ କୁହାଯାଇଥିଲା । ହେଲେ ମାତ୍ର ୨୧ଜଣଙ୍କ ନମୁନା ସଂଗ୍ରହ କରି କାହିଁକି ବସି ପଡିଲା ତାହା ଏବେ ପ୍ରହେଳିକା ସୃଷ୍ଟି କରିଛି ।
ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଉପାଧ୍ୟାୟ କହିଛନ୍ତି, "କିଡନୀ ରୋଗ ବିଷୟରେ ଖବରପାଇବା ପରେ ମୁଁ ୫ଜଣିଆ ଏକ ଟିମ ପଠାଇଥିଲି । ସେମାନେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ଜଣାପଡିଲା ଯେ, ଯେଉଁମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଡାଇବେଟିସ୍ ଏବଂ ମାନସିକ ଚାପରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ରୋଗ ସହ ପିଇବା ପାଣିରେ ସମ୍ପର୍କ ଥାଇପାରେ । ଜଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଜଳ ଓ ପରିମଳ ବିଭାଗକୁ କୁହାଯାଇଛି । ଆମ ଟିମ୍ ୨୧ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲା । ସେମାନଙ୍କ ମଧ୍ୟରେ ୧୧ ଜଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ ଭିତରୁ ୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।"
ଇଟିଭି ଭାରତ, କନ୍ଧମାଳ