ଭୁବନେଶ୍ବର: ନିର୍ବାଚନ ଯେତେ ପାଖଉଛିଆଶାୟୀ ଓ ବିଦ୍ରୋହୀଙ୍କ ସଂଖ୍ୟା ସେତେ ବଢୁଛି । ଏଣେ ବିଦ୍ରୋହୀଙ୍କତାଲିକାରେ ସାମିଲ ହୋଇଛନ୍ତି ଜି. ଉଦୟଗିରିର କଂଗ୍ରେସ ବିଧାୟକ ଜାକବ ପ୍ରଧାନ । ଟିକେଟ ନମିଳିବା ପରେ ସେ ଦଳ ବିରୋଧରେ ଆଣିଛନ୍ତି ଷଡଯନ୍ତ୍ର ଅଭିଯୋଗ ।
ସୂଚନାଯୋଗ୍ୟ ଯେ ଜାକବଙ୍କୁ କଂଗ୍ରେସ ଟିକେଟ ଦେଇନାହିଁ । ଅନେକ ଦିନ ଧରି ଏହି ନିଷ୍ପତ୍ତି ଝୁଲାଇ ରଖିବା ପରେ ଶେଷରେ ଜି. ଉଦୟଗିରିରେ ନୂଆ ମୁହଁ ଦେଇଛି କଂଗ୍ରେସ । ଜାକବଙ୍କ ବଦଳରେ ଦାରିଙ୍ଗବାଡି ସରପଞ୍ଚ ଶ୍ୟାମଘନ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ଦଳର ଏହି ନିଷ୍ପତ୍ତି ବିରୋଧରେ ବର୍ଷିଛନ୍ତି ଜାକବ ।
ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ସବୁ ବିଧାୟକଙ୍କୁ ଟିକେଟ ଦେବାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାଙ୍କ ପ୍ରତି ଅବହେଳା କରାଯାଇଛି । ତାଙ୍କ ବିରୋଧରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ପ୍ରଦୀପ ମାଝୀ, ସୀମାଞ୍ଚଳ ଆଚାର୍ଯ୍ୟ ଓ କାଳିପ୍ରସାଦ ମଲିକ ବୋଲି ଜାକବ ଅଭିଯୋଗ କରିଛନ୍ତି ।
ତେବେ ଦଳୀୟ କର୍ମୀଙ୍କୁ ଅବହେଳା କରି ଜାକବ ବିଜେପି ଓ ବିଜେଡି କର୍ମୀଙ୍କ କଥାରେ ପରିଚାଳିତ ହେଉଥିବା ଅଭିଯୋଗ ହୋଇଥିଲା । ଏପରିକି ବିଭିନ୍ନ ଯୋଜନା ପାଇଁ ହିତାଧିକାରୀଙ୍କଠାରୁ ପିସି ନେଉଥିବା ଅଭିଯୋଗ ଆସିଥିଲା। ଯେଉଁଥିପାଇଁ ଦଳ ତାଙ୍କ ଉପରେ ଭରସା କରିପାରିନାହିଁ । ତେବେ ଜାକବ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଏସବୁ ମିଛ କଥା ବୋଲି କହିଛନ୍ତି । ଟିକେଟ ଘୋଷଣା ଆଗରୁ ସେ କହିଥିଲେ ଯେ ତାଙ୍କ କାର୍ଯ୍ୟରେ ଜନସାଧାରଣ ସନ୍ତୁଷ୍ଟ ଅଛନ୍ତି । ସେ ଲୋକଙ୍କ ସହ ଅଛନ୍ତି । ଗତଥର ତାଙ୍କ ବିପୁଳ ବିଜୟକୁ ଦୃଷ୍ଟିରେ ରଖିଲେ ସେ ଏଥର ନିଶ୍ଚୟ ଟିକେଟ ପାଇବେ ବୋଲି ଆଶାବାଦୀ ଥିବା କହିଥିଲେ ।
ତେବେ ଟିକେଟ କଟିବା ପରେ ମଧ୍ୟ ସେ କଂଗ୍ରେସରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ବିଜେଡି କିମ୍ବା ବିଜେପି ତାଙ୍କ ଆଦର୍ଶ ତଥା ନୀତି ବିରୋଧରେ ଥିବାରୁ ସେ ଦଳକୁ ଯିବାର ନାହିଁ ବୋଲି ସେ କହିଛନ୍ତି । ସମର୍ଥକଙ୍କ ସହ ଆଲୋଚନା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜି. ଉଦୟଗିରିରୁ ନାମାଙ୍କନ ପତ୍ର ଦାଖଲ କରିବା ନେଇ ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ