ଫୁଲବାଣୀ: କନ୍ଧମାଳରେ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା(Class 7 girl dies day after delivery) । ଏହି ଘଟଣାରେ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରାଯାଇନଥିବାବେଳେ, ଜିଲ୍ଲାରେ ଜାରି ରହିଛି ଅସନ୍ତୋଷ । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ଏନେଇ ଆଜି ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ତେବେ ଜିଲ୍ଲାରେ ବାରମ୍ବାର ଆଦିବାସୀ ନାବାଳିକାଙ୍କୁ ନେଇ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହି ଆଦିବାସୀଙ୍କ ଜୀବନ ସହ ଖେଳୁଛି ବୋଲି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ଏବଂ ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ପ୍ରମୁଖ ପ୍ରକାଶ କରିଥିଲେ । ରାଜ୍ୟ ସଂଯୋଜକ ନାରାୟଣ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ କେବଳ ଭୋଟ ରାଜନୀତି ପାଇଁ ଆଦିବାସୀଙ୍କୁ ରାଜ୍ୟ ସରକାର ବ୍ୟବହାର କରୁଛନ୍ତି । ସେମାନଙ୍କୁ ସୁବିଧା ଦେବା ନାମରେ ଅଫିସର, ବିଜେଡି ନେତା ଓ ଠିକାଦାର ମାନଙ୍କ ପକେଟ ଗରମ କରୁଛନ୍ତି ।
ଜିଲ୍ଲାର ସମସ୍ତ ସେବାଶ୍ରମରେ ଛାତ୍ରଛାତ୍ରୀ ଅବ୍ୟବସ୍ଥା ଏବଂ ଭୟରେ ରହୁଛନ୍ତି । ରାଙ୍ଗାପାରୁରେ ଯେଉଁ ଘଟଣା ଘଟିଲା ତାହା ଉପରେ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଜିଲ୍ଲାପାଳ ନିରବ ରହିଛନ୍ତି ବୋଲି କହିଥିଲେ । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବନାରାୟଣ ପ୍ରଧାନ, ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି ସାମିଲ ହୋଇ କାହିଁକି ଅବ୍ୟବସ୍ଥା ଘେରରେ ଗର୍ଭବତୀ ଛାତ୍ରୀଙ୍କୁ ଆଣି ରଖା ଯାଇଥିଲା ଏବଂ ସୁବିଧା ନ ଥିବା ଡାକ୍ତରଖାନାରେ ଚିକିତ୍ସା କରାଗଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ଆଦିବାସୀ ନେତା ବସନ୍ତ ପ୍ରଧାନ, ରାମବିଶି ଦିଗାଲ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମୋତିଲାଲ୍ ଦିଗାଲ୍, ଉପ ସଭାପତି ସୁଧାଂଶୁ ଗୁରୁ, ସଂଜୟ ମଲ୍ଲିକ, ସଂଜିତ୍ ପାତ୍ର, ମୁକ୍ତିକାନ୍ତ ମହାନ୍ତି, ବିଶିକେଶନ ପ୍ରଧାନ, ଅରବିନ୍ଦ ପଟ୍ଟନାୟକ, ଅନାଇ ମୁଖି, ଦେବାଶିଷ ପ୍ରିୟଦର୍ଶନୀ ପ୍ରମୁଖ ସାମିଲ ଥିଲେ । ଏହା ପୂର୍ବରୁ ମଧ୍ୟ ବିଜେପି ପକ୍ଷରୁ ଏହି ଘଟଣା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଗ୍ରାମ ପଞ୍ଚାୟତରେ ଥିବା ଏକ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଥିଲା । ଏହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ହେଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଥିଲେ ।
ଇଟିଭି ଭାରତ, କନ୍ଧମାଳ