ଫୁଲବାଣୀ: ଗଞ୍ଜାମ ଜିଲ୍ଲା ଗୋପାଳପୁର ପୋଲିସର ବର୍ବରତା । କାରଣ ନଥାଇ କନ୍ଧମାଳ ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ଘରୁ ଉଠାଇ ଆଣିଲା ପୋଲିସ । ଗୋପାଳପୁର ଥାନାକୁ ଆଣି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ଅଭିଯୋଗ ଅନୁଯାୟୀ, କୌଣସି କାରଣ ନଥାଇ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦ୍ଦେଶରେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହରର କନ୍ୟାଶ୍ରମ ରୋଡରେ ରହୁଥିବା ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶିଥିଲେ । ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ବେ ତାଙ୍କୁ ଜାର ଜବରଦସ୍ତ ଉଠାଇ ଗୋପାଳପୁର ଥାନାକୁ ଆଣିଥିଲେ । ସେଠାରେ ନିସ୍ତୁକ ମାଡ଼ ମାରିବା ଫଳରେ ଆହତ ହୋଇ ଯାଇଥିଲେ ସୁମନ୍ତ । ଫଳରେ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସିତ ହେଲେ । ଗୋପାଳପୁର ପୋଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏନେଇ ସୁମନ୍ତ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇଲେ । ଏସପିଙ୍କ ନିର୍ଦ୍ଦେଶରେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ଏବଂ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ଓ ସ୍ମୃତି ରେଖା ସାହୁଙ୍କ ନାମରେ 122/2014 ମାମଲା ରୁଜୁ ହୋଇଥିବା ବେଳେ ୩୪୧/୩୨୩/୨୯୪/୫୦୬/୪୨୦/୧୨୦-ବିରେ ସଙ୍ଗିନ ଦଫା ଲାଗିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ରାଇକିଆ ଅଞ୍ଚଳର ସ୍ମୃତି ରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟୀ ସୁମନ୍ତ ପାଖାପାଖି ଚାରି ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ । ପରେ ସୁଧ ସହ ଫୋନ ପେ, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଫେରାଇଥିଲେ । ତେବେ ଭୁଲ ବଶତଃ ଧାର ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତି ରେଖାଙ୍କ ଠାରୁ ଆଣିନଥିଲେ । ଫଳରେ ତାର ସୁଯୋଗରେ ସ୍ମୃତି ପୁଣି ଟଙ୍କା ଦାବି କରି ଆଗରୁ ପରିଚୟ ଥିବା ପୂର୍ବତନ ରାଇକିଆ ଥାନାଧିକାରୀ ଓ ବର୍ତ୍ତମାନ ଗୋପାଳପୁର ଥାନା ଅଧିକାରୀ ଖମାରିଙ୍କ ସାହାଯ୍ୟ ନେଇଥିଲେ । ତେବେ ଉକ୍ତ ଥାନା ଅଧିକାରୀ ପୋଲିସ ପଠାଇ ସୁମନ୍ତଙ୍କୁ ଗୋପାଳପୁର ନେଇ ମାଡ ମାରିଥିବା ଅଭିଯୋଗ ହୋଇଛି ।
ସ୍ମୃତି ରେଖା ରାଇକିଆ ଥାନାରେ ଅଭିଯୋଗ ନକରି ଗୋପାଳପୁର ଥାନା ଅଧିକାରୀଙ୍କୁ କେଉଁ ଆଧାରରେ ଜଣାଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଡିଜି, ରାଜ୍ୟ ମାନବାଧିକାର କମିଶନ ଦୃଷ୍ଟି ଦେଇ ଥାନାଧିକାରୀ ଖମାରି ଓ ତାଙ୍କ ବୋଲକରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ଇଟିଭି ଭାରତ, କନ୍ଧମାଳ