କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଲୋକାର୍ପିତ ହୋଇଯାଇଛି ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ (Automated Biochemistry Analyser)। ହସପିଟାଲର ରୋଗ ନିରୂପଣ କେନ୍ଦ୍ରଠାରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଛନ୍ତି ।
ସୂଚନା ଅନୁଯାୟୀ, ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ ଯୋଗେ ୧ ଘଣ୍ଟାରେ ୧ ହଜାର ସାମ୍ପୁଲ ପରୀକ୍ଷା କରାଯାଇପାରିବ । ଏଥିସହ ଏହି ମେସିନରେ ଜୀବନ ରକ୍ଷା ଅନୁସନ୍ଧାନ ପରୀକ୍ଷା ମଧ୍ୟ କରାଯାଇପାରିବ ବୋଲି ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହାଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀମାନେ ସୁବିଧା ପାଇପାରିବେ । ଗୁରୁତର ରୋଗୀମାନଙ୍କ ନିମନ୍ତେ ୨୦ ମିନିଟ ମଧ୍ୟରେ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯିବ ବୋଲି ବାୟୋକେମିଷ୍ଟ୍ରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନୁଭା ମିଶ୍ର ପ୍ରକାଶ କରିଛନ୍ତି ।
ଏହି ମେସିନରେ ବ୍ଲଡ ସୁଗାର, ହେମୋଗ୍ଲୋବିନ, ସୋଡିୟମ, ପୋଟାସିୟମ, ୟୁରିକ ଏସିଡ ଭଳି ଅନେକ ପରୀକ୍ଷା କରାଯାଇ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଆସୁଥିବା ରୋଗୀମାନେ ଉପକୃତ ହେବେ ।
ତେବେ ଏହାର ଉଦ୍ଘାଟନ ସମୟରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡିନ, ହସପିଟାଲ ଅଧିକ୍ଷକ, ବାୟୋକେମିଷ୍ଟ୍ରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନୁଭା ମିଶ୍ର, ହସପିଟାଲ ପ୍ରଶାସିକା ପ୍ରମୁଖ ଆଦି ଉପସ୍ଥିତ ଥିଲେ ।
ଏନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପ୍ରଫେସର ଅନୁଭା ମିଶ୍ର କହିଛନ୍ତି, "ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନର ଉଦ୍ଘାଟନ ହୋଇଛି । ଆଗରୁ ବାୟୋକେମିଷ୍ଟ୍ରି ଟେଷ୍ଟ ପାଇଁ ଅଧିକ ସମୟ ଲାଗୁଥିଲା । କିନ୍ତୁ ଏହି ମେସିନ ଦ୍ବାରା ଆମେ ଖୁବ କମ୍ ସମୟରେ ସବୁ ଟେଷ୍ଟ କରିପାରିବୁ । ଜଣେ ରୋଗୀ ନିଜର ବ୍ଲଡ ଦେବାର ୧ଘଣ୍ଟା ଭିତରେ ତାର ରିପୋର୍ଟ ପାଇପାରିବ । ଏଥିସହ ଯଦି କିଏ ଗୁରୁତର ରୋଗୀ ଅଛନ୍ତି ତାହାଲେ ତାଙ୍କର ସମସ୍ତ ଟେଷ୍ଟ ୧୫ ରୁ ୨୦ମିନିଟ ଭିତରେ ପରୀକ୍ଷା କରି ରିପୋର୍ଟ ଦେଇପାରିବୁ । ତାଛଡା ଏହାର ରେଜଲ୍ଟ ବହୁତ ଭଲ ଆସେ । ଏନେଇ ରୋଗୀମାନେ ମଧ୍ୟ ଏହାଦ୍ବାରା ଅଧିକ ଉପକୃତ ହୋଇପାରିବେ ।"
ଇଟିଭି ଭାରତ, କୋରାପୁଟ