ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏଥର ବିଜେଡି କ୍ଲିନ୍ ସୁଇପ୍ କରିଛି । ଏହି ବିରାଟ ବିଜୟ ପରେ ବର୍ତ୍ତମାନ ଜିଲ୍ଲା ପରିଷଦ ସଭାପତି କିଏ ହେବ ସେନେଇ ବିଜେଡି ଶିବିରରେ ଜୋର ଧରିଛି ଚର୍ଚ୍ଚା । କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ଟି ଆସନରେ ବିଜେଡି ବାଜିମାତ କରିଥିବା ବେଳେ କଂଗ୍ରେସ ଗୋଟିଏ ଓ ବିଜେପି ୨ଟି ଆସନ ପାଇ ନିରାଶ ହେବାକୁ ପଡ଼ିଛି । ୩୩ଟି ଆସନରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ଥର ପାଇଁ ଜିଲ୍ଲା ପରିଷଦ ଗଠନ କରିବାକୁ ଦଳକୁ ଜନମତ ମିଳିଛି ।
ପୂର୍ବରୁ ୨୦୧୨ ମସିହାରେ ବିଜେଡି ପ୍ରାର୍ଥନୀ ମାଝୀ ଜିଲ୍ଲା ପରିଷଦ ସଭାପତି ଥିଲେ । ବର୍ତ୍ତମାନ ୨୦୨୨ ମସିହାରେ ବିଜେଡି ଦ୍ୱିତୀୟ ଥର ପାଇଁ ଜିଲ୍ଲା ପରିଷଦ ଗଠନ କରିବ । ୧୯୬୧ ମସିହାରେ ଗଣତନ୍ତ୍ର ଦଳ ପରିଷଦ ପକ୍ଷରୁ ବୀରେନ୍ଦ୍ର ନାରାୟଣ ସିଂହଦେଓ ପ୍ରଥମ ଜିଲ୍ଲା ପରିଷଦ ସଭାପତି ଥିଲେ । ୧୯୯୭ ମସିହାରେ ସମତା ପାର୍ଟି ପକ୍ଷରୁ ଶିବ ଶଙ୍କର ପଟ୍ଟନାୟକ ସଭାପତି ଥିଲେ । ୨୦୦୨ ମସିହାରେ ବିଜେପିର ଶର୍ମିଷ୍ଠା ମେହେର ସଭାପତି ଥିଲେ । ୨୦୦୭ ମସିହାରେ ଶରତ ନାଏକ ସ୍ବାଧୀନ ଭାବେ ଜିତି କଂଗ୍ରେସ ସମର୍ଥନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ବିଜେପିରୁ ନମିତାରାଣୀ ସାହୁ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
ଚଳିତ ନିର୍ବାଚନରେ ପୂର୍ବତନ ବିଜେପି ସଭାପତି ନମିତାରାଣୀ ସାହୁ ଓ ଶର୍ମିଷ୍ଠା ମେହେର ନିର୍ବାଚନରେ ପରାଜିତ ହୋଇଛନ୍ତି । ଗତ ୨୦୧୭ ମସିହା ନିର୍ବାଚନରେ ବିଜେଡି ମାତ୍ର ଗୋଟିଏ ଆସନରେ ବିଜୟ ଲାଭ କରିଥିଲା । ଜଣେ ମାତ୍ର ବିଜେଡି ଜିଲ୍ଲାପରିଷଦ ସଦସ୍ୟ ଭାବେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜୟ ଲାଭ କରିଥିଲେ । ୨୦୧୯ ମସିହାରେ ପୁଞ୍ଜେନ୍ଦ୍ର କୁମାର ସିଂହଦେଓ ନର୍ଲା ବିଧାନସଭା ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଦଳୀୟ ଟିକଟ୍ ଆବେଦନ କରିଥିଲେ । ଶେଷ ମୁହୂର୍ଷରେ ଭୂପିନ୍ଦର ସିଂହଙ୍କୁ ନର୍ଲା ବିଧାୟକ ପ୍ରାର୍ଥୀ ଭାବେ ଦଳ ଟିକଟ୍ ଦେଇଥିଲା । ପୁଷ୍ପେନ୍ଦ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭାବେ ଦାୟିତ୍ବ ଦେଇଥିଲା ବିଜେଡି ।
ପୁଷ୍ପେନ୍ଦ୍ର ପୁନର୍ବାର ଜିଲ୍ଲା ପରିଷଦ ସଭ୍ୟ ଭାବେ ଜିତିଥିବାରୁ ସଭାପତି ପାଇଁ ତାଙ୍କ ନାଁ ସର୍ବାଗ୍ରେ ରହିଛି । ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ସମର୍ଥକମାନେ ମମିତା ମେହେର ପ୍ରସଙ୍ଗରେ ଜୁନାଗଡ଼ ନିର୍ବାଚନୀ ମଣ୍ଡଳୀରେ ଚ୍ୟାଲେଞ୍ଜ କରି ବିଜୟ ଲାଭ କରିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରୁ ସଭାପତି ଆସନ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ମମିତା ମେହେର ଘଟଣାକୁ ଚପାଇବା ପାଇଁ ବିଜେଡି ମେହେର କାର୍ଡ ଆରମ୍ଭ କରିଛି ।
ଜୁନାଗଡ଼ ବ୍ଳକ୍ ଜୋନ୍ ୧ର ପ୍ରାର୍ଥୀ ସୁଧୀର ମେହେର ବିଜେଡିରୁ ଜିତିଛନ୍ତି । ସେ ମେହେର ସମ୍ପ୍ରଦାୟର ଅଟନ୍ତି । ନିର୍ବାଚନ ବେଳେ ସେ ଜିତିଲେ ତାଙ୍କୁ ସଭାପତି କରାଯିବ ବୋଲି ମେହେର ସମାଜ ଗୋଟି ଚାଳନା କରିଥିଲେ । ଆଗକୁ ୨୦୨୪ ସାଧାରଣ ନିର୍ବାଚନରେ ମେହେର ଭୋଟ୍କୁ ଟାର୍ଗେଟ କରି ସୁଧୀର ମେହେରଙ୍କୁ ସଭାପତି କରିବା ପାଇଁ ଗୋଟିଏ ଗୋଷ୍ଠୀ ନିଜର ଲବି ଆରମ୍ଭ କରିଛନ୍ତି । ତେବେ ବିଜେଡି ହାଇକମାଣ୍ଡ କ’ଣ ନିଷ୍ପତ୍ତି ନେଉଛନ୍ତି ଏହା ଉପରେ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ