ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଟିଙ୍ଗିପଦରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗାଁ ମୁଣ୍ଡ ଚାଷ ଜମିରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ସେହି ଗାଁର ପ୍ରେମଶିଳା ମାଝୀ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରି ଘଟଣାର ଛାନଭିନ କରୁଛି ।
ସୂଚନା ଅନୁଯାୟୀ, ପ୍ରେମଶିଳା ମାଝୀ ଓ ସେହି ଗାଁର ସୁନିଲ ଦାସ ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିଲା ପ୍ରେମ ସମ୍ପର୍କ । ଉଭୟ ଏକାଠି ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେବାକୁ ଯାଇ ଗତ ଅଗଷ୍ଟ ମାସ ୧୮ ତାରିଖ ଦିନ ଘରୁ ଫେରାର ହୋଇଯାଇଥିଲେ । ତେବେ ଏନେଇ ପ୍ରେମଶିଳାଙ୍କ ବାପା ଯାଦବ ମାଝୀ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେଣୁ ପୋଲିସ ଉଭୟ ପୁଅ ଓ ଝିଅର ପରିବାରକୁ ଡାକି ଥାନାରେ ଆପୋଷ ବୁଝାମଣା କରାଇଥିଲେ । ଏଥିସହ ଚଳିତ ମାସ ୯ ତାରିଖରେ କୋର୍ଟ ମ୍ୟାରେଜ କରାଯିବା ପାଇଁ ସ୍ଥିର ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ଆଜି ପ୍ରେମିକ ଓ ପ୍ରେମିକା ଗାଁକୁ ଆସିବାର କଥା ହେଲେ ଗତକାଲି ବିଳମ୍ବିତ ରାତିରେ ପ୍ରେମିକା ପ୍ରେମିଶିଳା ମାଝୀ ଏକୁଟିଆ ପ୍ରେମିକ ସୁନିଲ ଦାସଙ୍କ ଘରେ ପହଞ୍ଚିଥିଲା ।
ତେବେ ଏନେଇ ଆଜି ପ୍ରେମିକା ପ୍ରେମିଶିଳାଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ଚାଷ ଜମିରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ମୃତ ପ୍ରେମିଶିଳାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତ ପ୍ରେମିଶିଳାର ବାପା ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ସୁନିଲ ଦାସ ଫେରାର ହୋଇଯାଇଥିବା ବେଳେ ଘଟଣା ପରେ ସୁନିଲର ବାପା ଓ ମାଆ ମଧ୍ୟ ଗାଁ ଛାଡି ଫେରାର ମାରିଥିବା ଜଣାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।
ଇଟିଭି ଭାରତ, କଳାହାଣ୍ଡି