ଭବାନୀପାଟଣା: ହିତାଧିକାରୀଙ୍କୁ ମିଳୁପାରୁନି ବାର୍ଦ୍ଧକ୍ୟ ଭତ୍ତା । ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତାକୁ ହିତାଧିକାରୀଙ୍କ ହାତରେ ନ ଦେଇ ବ୍ୟାଙ୍କ ଆକାଉଣ୍ଟରେ ମାଧ୍ୟମରେ ପ୍ରଦାନ କରାଯିବା ନିୟମ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଶିବାହଲ ପଞ୍ଚାୟତରେ ବ୍ୟାଙ୍କ ଆକାଉଣ୍ଟରେ KYC,ଆଧାର ସଂଯୋଗରେ ତୃଟି ଥିବା କାରଣରୁ ମିଳୁପାରୁନି ଭତ୍ତା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି, ମୃତକଙ୍କ ନାଁରେ ଉଠୁଛି ଟଙ୍କା
କୋକସରା ବ୍ଲକ ଅନ୍ତର୍ଗତ କାଶିବାହଲ ପଞ୍ଚାୟତରେ ବ୍ୟାଙ୍କ ଆକାଉଣ୍ଟରେ KYC, ଆଧାର ସଂଯୋଗରେ ତୃଟି ଥିବା କାରଣରୁ ମିଳୁପାରୁନି ଭତ୍ତା । ଗତ ୩ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ । ତେବେ ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ହିତାଧିକାରୀଙ୍କ ଘରେ ଏବେ ଚୁଲି ଜଳିବା ମଧ୍ୟ ମୁସ୍କିଲ ହୋଇପଡିଛି । କିଏ ବୟସର ଅପରାହ୍ନରେ ସରକାରୀ ସହାୟତା ଆଶାରେ ଦିନ କାଟୁଛି ତ ପୁଣି ଆଉ କିଏ ବିଧବା ଭତ୍ତାରେ ପରିବାର ପ୍ରତିପୋଷଣ କରୁଛି । ହେଲେ ବିଗତ ୩ ମାସର ଭତ୍ତା ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ଯଥାଶୀଘ୍ର ସମସ୍ୟାର ସାମାଧାନ କରି ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି ।
ଏନେଇ ଭତ୍ତା ହିତାଧିକାରୀ କହିଛନ୍ତି ଯେ," ଆମକୁ ୩ମାସ ହେଲା ଭତ୍ତା ମିଳିନାହିଁ । ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ । ବ୍ୟାଙ୍କ ଆକାଉଣ୍ଟରେ KYC ଆଧାର ସଂଯୋଗ ହୋଇପାରୁନଥିବାରୁ ଟଙ୍କା ମିଳିପାରୁନାହିଁ । ଏନେଇ ଆମେ ବାରମ୍ବାର ବ୍ୟାଙ୍କ ଯାଉଥିଲେ ସୁଦ୍ଧା ସମାଧାନ ହୋଇପାରୁନାହିଁ । ଭତ୍ତା ଟଙ୍କା ଆମେ ପାଇପାରୁନାହୁଁ । ଫଳରେ ବାଧ୍ୟ ହୋଇ ଆଜି ଆମେ ବିଡିଓ ପାଖକୁ ଗୁହାରି କରିବା ପାଇଁ ଆସିଛୁ । ଶୀଘ୍ର ସମସ୍ୟାର ସାମାଧାନ କରି ଟଙ୍କା ଯୋଗାଇଦେବା ପାଇଁ ଅନୁରୋଧ କରୁଛୁ ।"
ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତାରେ ଦୁର୍ନୀତି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଗୋଟିଏ ପଞ୍ଚାୟତର ୧୭ ଜଣ ମୃତ ବୃଦ୍ଧ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଧଅଁରପୁର ପଞ୍ଚାୟତରେ ଗତ ୨୦୨୦ ମସିହାଠାରୁ କୌଣସି ଭତ୍ତା ହିତାଧିକାରୀଙ୍କ ମୃତ ହୋଇ ନଥିବା ଭତ୍ତା ରେଜିଷ୍ଟ୍ରରରୁ ଜଣାପଡିଥିଲା । ଯାହାକୁ ନେଇ ପଞ୍ଚାୟତର ପ୍ରତି ୱାର୍ଡ ମେମ୍ବର ନିଜ ନିଜ ୱାର୍ଡ ତଦାରଖ କରିଥିଲେ । ଯାହାପରେ ୨୦୨୦ ମସିହାରୁ ୧୭ ଜଣ ହିତାଧିକାରୀଙ୍କ ମୃତ୍ୟୁ ଘଟିଛି । ହେଲେ ଏହି ୧୭ ଜଣ ଭତ୍ତା ହିତାଧିକାରୀଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କ ନାଁରେ ପ୍ରତିମାସରେ ଟଙ୍କା ଆସୁଥିବା ଜଣାପଡିଥିଲା ।
ଇଟିଭି ଭାରତ, କଳାହାଣ୍ଡି