ଭବାନୀପାଟଣା: ହୁତୁହୁତୁ ନିଆଁରେ ଧ୍ବସଂ ହେବାକୁ ବସିଛି ଶୋଭା ବର୍ଦ୍ଧନ କରୁଥିବା ଏହି ସବୁଜ ବନାନୀ । କଳାହାଣ୍ଡି କର୍ଲାପାଟ ସଂରକ୍ଷିତ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ନିଆଁ ଲିଭାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ବି ନିଆଁର ଆଁରେ ଜଳି ଗଲାଣି ଶହଶହ ମୂଲ୍ୟବାନ ବୃକ୍ଷ । ଜଙ୍ଗଲ ସୁରକ୍ଷା ନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏପରକି ସବୁଜ ବନାନୀ କିପରି ସୁରକ୍ଷିତ ରହିବ ସେନେଇ ନାନା ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି। ହେଲେ କେତେକ ଅସାଧୁ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ନଷ୍ଟ ହେବାକୁ ବସିଛି ଜୀବ ଜଗତର ଏହି ଅମୂଲ୍ୟ ସମ୍ପଦ ।
୧୭୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବେଷ୍ଟିତ କର୍ଲାପାଟ ଅଭୟାରଣ୍ୟ। ଏହାର ସୁରକ୍ଷା ପାଇଁ ରହିଛି ସ୍ବତନ୍ତ୍ର ଅନୁଦାନ । ହେଲେ ସାଧାରଣ ଲୋକଙ୍କ ସଚେତନତା ଅଭାବ ଓ ଜଙ୍ଗଲ ବିଭାଗର ଉଦାସୀନ ମନଭାବ ଯୋଗୁଁ ପ୍ରାୟ ଧ୍ବଂସାଭିମୁଖୀ ଏହି ଅଭୟାରଣ୍ୟ। କେତେବେଳ ଜଙ୍ଗଲରେ ନିଆଁ ଲାଗୁଛି ତ, ଆଉ କେତେ ବେଳେ ମଣିଷ କାଟି ନେଉଛି ବିଶାଳକାୟ ବୃକ୍ଷ । ଅନ୍ୟପଟେ ଜଙ୍ଗଲୀ ଜନ୍ତୁ ଶିକାର ହେଉଥିବା ନେଇ ମଦ୍ୟ ରହିଛି ନଜିର । ପ୍ରଶାସନର ସବୁ ନିଷ୍ପତି ସ୍ବତେ ଆଜି ଅସୁରକ୍ଷିତ ହୋଇପଡ଼ିଛି କର୍ଲାପାଟ ଅଭୟାରଣ୍ୟ ଭଳି ଅନେକ ଜଙ୍ଗଲ ।
ଜଙ୍ଗଲରେ ଜଳୁଛି ରାକ୍ଷସ ରୂପୀ ନିଆଁ । ନିଆଁର ଆଁରେ ଜଳି ଯାଉଛି ଶହ ଶହ ଗଛ । ପରିବେଶ ସନ୍ତୁଳନ ରକ୍ଷା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ପୁରୁଣା ଜଙ୍ଗଲର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନା ବଞ୍ଚୁଛି ନୂଆ ବୃକ୍ଷ, ନା ସୁରକ୍ଷା ପାଉଛି ପୁରଣା ଜଙ୍ଗଲ । ଏହି ସବୁ ସଙ୍ଗୀନ ଅଭିଯୋଗ ବନବିଭାଗର କାର୍ଯ୍ୟକୁ ନେଇ ସୃଷ୍ଟି କରିଛି ତମାମ ପ୍ରଶ୍ନ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ