ଭବାନୀପାଟଣା: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଅନ୍ତର୍ଗତ ଜନଜାତି ଆବାସିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ୧୦ ବର୍ଷ ଜେଲଦଣ୍ଡ ମିଳିଛି । ଏହି ଶିକ୍ଷକ ହେଉଛନ୍ତି ନକୁଳ ସବର । ଗତକାଲି(ଗୁରୁବାର) ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଏହି ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି (Teacher Gets 10 Year Jail For Raping Minor Student) । ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ଜେଲଦଣ୍ଡ ଓ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ରହିଛି ।
ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଜଜ୍ ଶୁଭଞ୍ଜନ ମହାନ୍ତି ମାମଲାର ଶୁଣାଣି କରିଛନ୍ତି । ୨୩ଟି ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ଜଜ୍ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବା ଅଭିଯୁକ୍ତ ପ୍ରଧାନ ଶିକ୍ଷକ ନକୁଳଙ୍କୁ ଦୋଷୀ ସାବ୍ୟସ୍ତ କରି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ପରିଚାଳନା କରିଥିଲେ । ୨୦୧୨ ମସିହାରେ କୋକସରା ଥାନାରେ ଏହି ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ: ହାତୀ ମୃତ୍ୟୁ ରୋକିବାକୁ ୧୪ ଟି ହାତୀ କରିଡର ଚିହ୍ନଟ, ୧୮ ରେ ପରବର୍ତ୍ତୀ ଶୁଣାଣି
ସୂଚନା ଅନୁଯାୟୀ, ୨୦୧୨ ମସିହା ନଭେମ୍ବର ୨୫ ତାରିଖରେ ନାବାଳିକାଙ୍କ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କୋକସରା ଥାନାରେ ଅଭିଯୋଗ କରିଥିଲେ । ଛାତ୍ରୀ ଜଣକ କହିଥିଲେ ଯେ, ସ୍କୁଲର ପ୍ରଧାନ ଶିକ୍ଷକ ନକୁଳ ଶବର ତାଙ୍କୁ ନିଜର ରୁମକୁ ଡାକିଥିଲେ । ସେ ରୁମ୍ରେ ପହଞ୍ଚିବା ପରେ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ କୋକସରା ଥାନା ଅଧିକାରୀ ଭିମସେନ ନାଏକ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ପୋଲିସ ଚାର୍ଜସିଟ ଦାଖଲ କରିଥିଲା । ଗୁରୁବାର ଭବାନୀପାଟଣା ପୋସ୍କୋ କୋର୍ଟରେ ଏହି ମାମଲାର ରାୟ ପ୍ରକାଶ ପାଇଥିବା ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି